ଗଡିଲା କୃଷକ ସଚେତନତା ରଥ

 ରାଇରଙ୍ଗପୁର: ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତି ବଦ୍ଧ । ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିଦେ୍ର୍ଦଶାନୁସାରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଡିସେମ୍ବର ୨୪ତାରିଖରୁ ଖରିଫ ଋତୁ ପାଇଁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏଥିନିମନ୍ତେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ କୃଷକ ସଚେତନତା ରଥକୁ ବାମନଘାଟି ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ ରଥ ମାସେ ବ୍ୟାପୀ ଉପଖଣ୍ଡର ୭ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ଖରିଫ ଋତୁରେ ଧାନ ବିକ୍ରୟ ସମ୍ବନ୍ଧରେ ସମସ୍ତ ଚାଷୀ ଭାଇଭଉଣୀମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ । ଯଦ୍ୱାରା ପଞ୍ଜିକୃତ ଚାଷୀମାନେ ସେମାନଙ୍କର ଧାନ ବିକ୍ରି ପାଇଁ ମଣ୍ଡିକୁ ଆସି କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନକୁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ/ମଣ୍ଡି ମାଧ୍ୟମରେ ବିକ୍ରି କରି ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଏସିଏସଓ ସାରଙ୍ଗଧର ବେହେରା, ଏଆର୍ସିଏସ୍ ଲକ୍ଷ୍ମୀଧର ରାଉତ, ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧ୍ୟକ୍ଷ ଦିନେଶ କୁମାର ବେହେରା ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।