ଗର୍ବର ବୋଝ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଗର୍ବର ବୋଝକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ପାଖରେ ଯାହା ଅଧିକ ହେଇଯାଏ, ମଣିଷ ତାକୁ ନେଇ ଗର୍ବ କରେ । ଗର୍ବରେ ବଞ୍ଚୁଥିବା ମଣିଷ, ନିଜ ଭବିଷ୍ୟତର ଅସହାୟ ଅବସ୍ଥାକୁ କଳ୍ପନାରେ ସୁଦ୍ଧା ଭାବିପାରେ ନାହିଁ । ମଣିଷ ଯାହାକୁ ନେଇ ଗର୍ବ କରେ ତାହା ଦିନେ ନା ଦିନେ ସରିଯାଏ । ଆଜି ନହେଲେ କାଲି, କାଲି ନହେଲେ, କୋଉ ଦିନ ନା କୋଉଦିନ ସରିଯିବାଟା ସୁନିଶ୍ଚିତ । ହେଲେ ଏତକ, ଗର୍ବର ଗାଦି ଉପରେ ବସିଥିବା ଲୋକ ଟିକେ ଚିନ୍ତା ମଧ୍ୟ କରିପାରେ ନାହିଁ । ଆମେ ଦେଖିବାରେ, କାହାର ସାମାନ୍ୟ ଧନରୁ ଯେତେବେଳେ ଅଧିକ ଧନ ହୋଇଯାଏ, ସେତେବେଳେ ସେ ପୃଥିବୀର ଏକମାତ୍ର ବ୍ୟକ୍ତି ବୋଲି ଭାବେ । ତାକୁ ଛାଡ଼ିଦେଲେ ପୃଥିବୀର ଅନ୍ୟ କେହି ମଣିଷ ପଦବାଚ୍ୟ ନୁହଁ ବୋଲି ଭାବେ । ତାଳ ଗଛକୁ ବାଳ ଫିଙ୍ଗିଲା ଭଳି କଥା କହେ, କ୍ଷଣିକ ବିଜୟକୁ ଜୀବନର ସବୁକିଛି ବୋଲି ଭାବେ, ଗର୍ବରେ ଫାଟି ପଡ଼େ ।
ଆଜ୍ଞା, ଗର୍ବର ସବୁଠାରୁ ବଡ଼ ଲକ୍ଷଣ ହେଲା ପ୍ରତି ମୁହୂର୍ତ୍ତରେ "ହାଁ, ମୋ ଭଳି କିଏ ଅଛି' ବୋଲି ଭାବି ନେବା । ଧରାକୁ ଖପରା ବୋଲି ଭାବିବା ।
ଅନ୍ୟପକ୍ଷରେ ମିଳିଥିବା କ୍ଷମତା, ଆସିଥିବା ଅର୍ଥ, ସକଳ ସମ୍ପଦ ଆଦି ଯେ କୌଣସି ସମୟରେ, ଯେକୌଣସି ମୁହୂର୍ତ୍ତରେ ନିକଟରୁ ଚାଲିଯାଇପାରେ ବୋଲି ସମସ୍ତେ ଜାଣିଛନ୍ତି ସତ; କିନ୍ତୁ ଗର୍ବର ଗାଦିରେ ବସି ପଡ଼ିଲେ, ଆଉ ସେକଥା ଭାବିପାରନ୍ତି ନାହିଁ । ଜୀବନରେ ଏମିତି କରୁଥିବା ଲୋକ ଶାନ୍ତିରେ ଶୋଇପାରେ ବି ନାହିଁ । ଖାଲି ସେତିକି ନୁହେଁ, ସେ ଲୋକ ଅନ୍ୟ କାହାରିକୁ ମଧ୍ୟ ଶାନ୍ତିରେ ଶୁଆଇ ଦେବ ନାହିଁ । ଏମାନଙ୍କର ହସ ହୃଦୟରୁ ଆସେ ନାହିଁ । ହସ ପଛରେ କୁଟିଳତା ରହିଥାଏ, ଛନ୍ଦ ରହିଥାଏ । ପ୍ରତ୍ୟେକଟି ହସ, କାହାର ନା କାହାର ଲୁହ ବୁହାଇବା ପାଇଁ ଉଦ୍ଦିଷ୍ଟ ଥାଏ । ଏଭଳି ଗର୍ବୀମାନେ ଯୁଗେ ଯୁଗେ ଅନେକଙ୍କ ପାଇଁ ବୋଝ ଏବଂ ଶାସକ ହୋଇଥିଲେ ଭୂଖଣ୍ଡ ପାଇଁ କଳଙ୍କ ।
ଗର୍ବୀ ବ୍ୟକ୍ତି କେବଳ ବର୍ତ୍ତମାନକୁ ଦେଖେ । ସେ ଭବିଷ୍ୟତକୁ ଦେଖିପାରେ ନାହିଁ । ବର୍ତ୍ତମାନର ସମୟ ଯେତେବେଳେ ଅତୀତ ହୋଇଯାଏ, ସେତେବେଳେ ଏଭଳି ବ୍ୟକ୍ତିମାନେ କଳଙ୍କିତ ହେଇଯାଆନ୍ତି । ଥରେ ଅସହାୟ ହୋଇ ସାତଚାଖଣ୍ଡର ଭୂମି ଉପରେ କଚାଡ଼ି ହେଇଗଲେ, ଉଠିବା ପାଇଁ ଅଣ୍ଟାକୁ ବଳ ବି ପାଏନି ଆଜ୍ଞା ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।