‘ଗାଁ ବିକାଶ ବିନା ରାଜ୍ୟ ବିକାଶ ଅସମ୍ଭବ’

‘ଗାଁ ବିକାଶ ବିନା ରାଜ୍ୟ ବିକାଶ ଅସମ୍ଭବ’

ଭୁବନେଶ୍ୱର/ପୁରୀ : ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି । ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି । ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କହିଛନ୍ତି  ।
ମୁଖ୍ୟମନ୍ତ୍ରୀ ପ୍ରଥମେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ଶାସନ ବ୍ୟବସ୍ଥାର ମୂଳ କେନ୍ଦ୍ର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା  । ୧୯୯୩ ମସିହା ଅପ୍ରିଲ ୨୪ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାର ବୈପବ୍ଳିକ ପରିବର୍ତ୍ତନ ଅଣାଯାଇଥିଲା  । ଶାସନ ପ୍ରଶାସନରେ ଜନମତର ପ୍ରାଧାନ୍ୟକୁ ସମ୍ମାନ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ  । ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାରେ ଜନସହଭାଗିତା ବୃଦ୍ଧି ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିକୁ ଭାରତ ସରକାର ଅଗ୍ରାଧିକାର ଦେଉଛନ୍ତି  । ଆମ ରାଜ୍ୟରେ ଲୋକମାନଙ୍କ ମୌଳିକ ସମସ୍ୟା ଦୂର କରିବା ଦିଗରେ ପଞ୍ଚାୟତିରାଜ ବ୍ୟବସ୍ଥା ଦୃଢତାର ସହ କାମ କରୁଛି  । ଗତ ୩ ବର୍ଷ ଧରି ଆମ ରାଜ୍ୟର ଅନେକ ଗ୍ରାମ ପଞ୍ଚାୟତ ସର୍ବ ଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି  ।
 ଆଜି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି  । ଓଡ଼ିଶା ମାଟି ନାରୀମାନଙ୍କ ସାମଗ୍ରିକ ବିକାଶର ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ ପ୍ରୟୋଗଶାଳା ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।   ସେ କହିଥିଲେ ଆଜି ରାଜ୍ୟରେ ମହିଳା ପଞ୍ଚାୟତ ପ୍ରତିନିଧିମାନେ ନିଜ ଅଞ୍ଚଳର ବିକାଶ ପାଇଁ ତତ୍‌ପର ହୋଇ କାମ କରୁଛନ୍ତି  । ଗତ ପ୍ରାୟ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ନେତୃତ୍ୱକୁ ଜନ୍ମ ଦେଇଛି  । ଉଦାହରଣ ସ୍ୱରୂପ ସେ ନିଜେ ମଧ୍ୟ ୧୯୯୭ ମସିହାର ପଞ୍ଚାୟତ ପ୍ରତିନିଧି ଭାବେ ଜନସେବାରେ ଯୋଗ ଦେଇଛନ୍ତି ବୋଲି କହିଥିଲେ । ପଞ୍ଚାୟତସ୍ତରରୁ ପ୍ରିତିନିଧି ଭାବେ ଆସିଥିବା ଜନପ୍ରତିନିଧିମାନେ ତୃଣମୂଳ ସ୍ତରର ସମସ୍ୟାକୁ ହୃଦୟଙ୍ଗମ କରିଥାନ୍ତି  ।
 ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜି ପଞ୍ଚାୟତ ସ୍ତରରେ ଅନେକ ବିକାଶମୂଳକ କାର୍ଯ୍ୟ କାର୍ଯ୍ୟକାରୀ ହେଉଛି  । ବିଗତ ଅଢେଇ ଦଶନ୍ଧିରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ଗ୍ରାମସଭା ଓ ପଲ୍ଲୀସଭାକୁ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ କରି ଦିଆଯାଇଥିଲା  । ଆମ ସରକାର ବ୍ୟବସ୍ଥା କରିଛନ୍ତି ଗ୍ରାମସଭା ଓ ପଲ୍ଲୀସଭାରେ ଗ୍ରାମବାସୀ ହିଁ ନିଷ୍ପତ୍ତି ନେବେ ଗାଁର ଉନ୍ନତି ପାଇଁ । ଆମ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି  । ବିଜୁଳି, ସଡକ, ପାଣି ପରି ଭିତ୍ତିଭୂମି ହେଉଛି ଗ୍ରାମାଞ୍ଚଳର ସବୁଠୁ ବଡ ପ୍ରାଥମିକତା । ଏହିସବୁ ଭିତ୍ତିଭୂମି ନିର୍ମାଣକୁ ଆମେ ଗୁରୁତ୍ୱ ଦେଉଛୁ  । ଏଥିପାଇଁ ଆମେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ପରିକଳ୍ପନା କରିଛୁ  । ୨୦୨୬ ସୁଦ୍ଧା ସବୁ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଆମେ ପଦକ୍ଷେପ ନେଇଛୁ  । ସେ ପୁଣି କହିଥିଲେଯେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗରେ ୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇଦେବୁ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମିତ ହୋଇସାରିଛି ଏବଂ ୪ ଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣାଧିନ ଅଛି  । ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଆମେ ଗ୍ରାମାଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିବୁ । ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ  । ଆଜି ରାଜ୍ୟର ମହିଳାମାନେ ସୁଭଦ୍ରା ଯୋଜନାରେ ପାଇଥିବା ଅର୍ଥକୁ ସୁବିନିଯୋଗ କରିଛନ୍ତି  । ଆମ ରାଜ୍ୟର ୧୭ ଲକ୍ଷ ମା’ ଲକ୍ଷପତି ଦିଦି ହୋଇ ଭାରତ ବର୍ଷରେ ଓଡ଼ିଶାକୁ ପ୍ରଥମ ସ୍ଥାନରେ ରଖିଛନ୍ତି  । ଲକ୍ଷପତି ଦିଦି ଗଢିବାରେ ସୁଭଦ୍ରା ଯୋଜନାର ବହୁତ ବଡ଼ ଅବଦାନ ରହିଛି ବୋଲି ସେ କହିଥିଲେ  । ସେ କହିଥିଲେଯେ, ଆମେ ରାଜ୍ୟବାସୀଙ୍କୁ ଯାହା କଥା ଦେଇଥିଲୁ ତାହା ଆମେ ୧୦ ମାସ ମଧ୍ୟରେ କାମରେ କରି ଦେଖାଇଛୁ  । ଆମ ସରକାର କାମରେ ବିଶ୍ୱାସ କରେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା, ଏନଆଇସି ଦ୍ୱାରା ପ୍ରସ୍ତୁତ ଇ-ପଞ୍ଚାୟତ ସଭା ପୋର୍ଟାଲ, ପିପିଏମ୍‌ଏସ୍‌ ପୋର୍ଟାଲ, ପଞ୍ଚାୟତ ମନିଟରିଙ୍ଗ୍‌ ସିଷ୍ଟମ, ୬୧୩ ଗ୍ରାମ ପଞ୍ଚାୟତକୁ ୩୨ କୋଟିର ପ୍ରୋତ୍ସାହନ ରାଶି ବଣ୍ଟନ, ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏଁ ସମୁଦାୟ ୨୦୦ କୋଟି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବା ସହିତ ୬ଟି ଟିଭି ବିଜ୍ଞାପନ ଓ ସୁଭଦ୍ରା କଫି ଟେବଲ୍‌ ପୁସ୍ତକର ଉନ୍ମୋଚନ କରିଥିଲେ  । ରାଜ୍ୟରେ ୪୧୨୪ କୋଟି ଟଙ୍କା ବିନିଯୋଗରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିଲା  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକର ୮ଜଣ ରାସନ କାର୍ଡ ହିତାଧିକାରୀ ଓ ୫ଜଣ ସୁଭଦ୍ରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ସହାୟତା ରାଶି ପ୍ରଦାନ କରିଥିଲେ  । ପୋଷଣ ଅଭିଯାନରେ ଶ୍ରେଷ୍ଠ ପୁଷ୍ଟି ପଞ୍ଚାୟତ ଭାବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଶ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପୁରସ୍କୃତ କରିଥିଲେ  । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେଯେ, ଶକ୍ତି ବିଭାଗ ମାଧ୍ୟମରେ ୨୦୨୬-୨୭ ସୁଦ୍ଧା ୩ ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପଦକ୍ଷେପ ଆରମ୍ଭ କରିଛୁ  । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ରିହାତି ଦେଇଛନ୍ତି  । ପୋର୍ଟାଲ ମାଧ୍ୟମରେ ଯଥା ଶୀଘ୍ର ଆବେଦନ କରିବା ପାଇଁ ସେ ଅନୁରୋଧ କରିଥିଲେ  । ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଲା ପରେ ଗାଁରେ ବିକାଶର ସୁଅ ଛୁଟିଛି  । ସୁଭଦ୍ରା ଗ୍ରାମାଞ୍ଚଳ ମହିଳାଙ୍କ ସ୍ଥିତିରେ ଆଜି ପରିବର୍ତ୍ତନ ଆଣିଛି  । ଗାଁର ଚିତ୍ରକୁ ନୂଆ ରୂପରେ ଆଙ୍କିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି  । ଗାଁର ବିକାଶ ପାଇଁ ରାଜନୀତିରୁ ଉର୍ଦ୍ଧ୍ୱକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ମୌଳିକ ସମସ୍ୟାକୁ ଦୂର କରିବା ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ  । ଗାଁର ବିକାଶ ହେଲେ ଆମ ଦେଶର ବିକାଶ ହେବ  । ପଞ୍ଚାୟତିରାଜ ଦିବସରେ ଯେଉଁ ଗାଁରେ ଆମର ଆତ୍ମା ଅଛି, ସେହି ଗାଁକୁ ସରଶ ସୁନ୍ଦର କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା  । କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିହାର ମଧୁବନୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ  । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ୍‌.ଏନ୍‌ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ  ।