ଗୁରୁ-ଶିଷ୍ୟ ସଂପର୍କ


ଗୁରୁ-ଶିଷ୍ୟ ସଂପର୍କ ବିଷୟରେ ଶିରିଡ଼ି ସାଇବାବା ସରଳ ଉଦାହରଣ ଏବଂ ପ୍ରମାଣ ଦେଇ ସମାଜକୁ ଯେଉଁ ଦିଗଦର୍ଶନ ଦେଇଯାଇଛନ୍ତି ତାହାର ତୁଳନା ନାହିଁ । ସାଇ ସତ୍ଚରିତରେ ବାବା ଗୁରୁ-ଶିଷ୍ୟ ସଂପର୍କ ବିଷୟରେ ଅନେକ କଥା କହିଛନ୍ତି । କଇଁଛର ତାହାର ଛୁଆ ସହିତ ଯେପରି ସଂପର୍କ ଥାଏ ତାହାକୁ ଗୁରୁ-ଶିଷ୍ୟ ସଂପର୍କ ସହିତ ତୁଳନା କରାଯାଇପାରେ ବୋଲି ସେ କହିଛନ୍ତି । ମା କଇଁଛ ଯେଉଁଠି ଥିଲେ ମଧ୍ୟ ନିଜ ଛୁଆଙ୍କ ନିରାପତ୍ତା ଏବଂ ସେମାନଙ୍କ ଖାଦ୍ୟ ସଂପର୍କରେ ଚିନ୍ତିତ ଥାଏ । ନିଜ ଛୁଆଙ୍କ ଉପରେ ତାହାର ଦୃଷ୍ଟି ପ୍ରାୟତଃ ଆବଦ୍ଧ ଥାଏ । ଏପରିକି ଗୋଟିଏ କୂଳରେ ତାହାର ଛୁଆ ଏବଂ ଅନ୍ୟ କୂଳରେ ସେ ନିଜେ ଥିଲେ ମଧ୍ୟ ସେମାନଙ୍କ ଉପରେ ମା କଇଁଛର ଆଖି ଥାଏ । ଏହା ମଧ୍ୟ ହୋଇପାରେ ଯେ ନିଜର ମାନସ ଚକ୍ଷୁରେ ସେ ଛୁଆଙ୍କୁ ଦେଖୁଥାଏ ଏବଂ ଛୁଆ ମା' କଇଁଛକୁ ସେହିପରି ଭାବେ ଦେଖୁଥାଇପାରନ୍ତି । ମା'କୁ ନଦେଖି ମଧ୍ୟ ସେମାନେ ଖୁସି ଥାଆନ୍ତି । ଗୁରୁ-ଶିଷ୍ୟ ସଂପର୍କ ଠିକ୍ ସେହିପରି । ଗୁରୁ ଯେଉଁଠି ଥାଆନ୍ତୁ ନା କାହିଁକି ନିଜର ଶିଷ୍ୟ ମାନଙ୍କର କଲ୍ୟାଣ ଏବଂ ବିକାଶ ନିମନ୍ତେ ସବୁବେଳେ ଚେଷ୍ଟିତ ଥାଆନ୍ତି । ଉଭୟ ସାଂସାରିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଶିଷ୍ୟ କିପରି ଆଗେଇଯିବ ତାହା ଗୁରୁଙ୍କର ମୁଖ୍ୟ କର୍ତ୍ତବ୍ୟ ହୋଇଥାଏ । ଶିଷ୍ୟ ମଧ୍ୟ କୌଣସି ସମୟରେ ଗୁରୁଙ୍କୁ ଏଡ଼ାଇଦେଇ ଯିବାକୁ ଚାହେଁନାହିଁ ।
ଗୁରୁ ବିନା ଏହି ସଂସାର ସାଗରକୁ ପାର ହେବା ସହଜ ନୁହେଁ । କାରଣ ସମୁଦ୍ରରେ ଯେପରି ତିମି, କୁମ୍ଭୀର ଏବଂ ଅନ୍ୟାନ୍ୟ ବିପଦମାନ ଥାଆନ୍ତି ଏହି ସଂସାର ସାଗରରେ ସେହିପରି ଲୋଭ, ଭୟ, କ୍ରୋଧ ଏବଂ ବିଶ୍ୱାସଘାତକତା ଆଦି ଭରି ରହିଛି । କେବଳ ଜଣେ ସଦ୍ଗୁରୁଙ୍କ ସାହାଯ୍ୟରେ ଏମାନଙ୍କ ଉପରେ ଜୟଲାଭ କରି ସଂସାର ସାଗର ପାର ହୋଇହେବ । ନଚେତ ବାରମ୍ବାର ଏହି ମାୟା ଜଗତକୁ ଆସିବାକୁ ପଡ଼ିବ । ସଂସାରକୁ ଆମେ କାହିଁକି ଆସିଛେ? ଏହାକୁ ନବୁଝିବା ପର୍ଯ୍ୟନ୍ତ ମାୟାର ଜାଲରେ ବାରମ୍ବାର ଆମେ ପଡ଼ୁଥିବା ଏବଂ ସଂସାରରେ ଆମର ଜନ୍ମ ମୃତୁ୍ୟ ପ୍ରକ୍ରିୟା ଚାଲିଥିବ । 
ଏଠାରେ ଦ୍ରୋଣଙ୍କ ଦୁଇ ଶିଷ୍ୟ ଅର୍ଜ୍ଜୁନ ଏବଂ ଦୁର୍ଯେ୍ୟାଧନଙ୍କ ଉଦାହରଣ ଦିଆଯାଇପାରେ । ଦ୍ରୋଣଙ୍କ ଦ୍ୱାରା ପ୍ରାପ୍ତ ଶିକ୍ଷାକୁ ଅର୍ଜ୍ଜୁନ ଧର୍ମର ରକ୍ଷା ନିମନ୍ତେ ପ୍ରୟୋଗ କରିଥିବାବେଳେ ଦୁର୍ଯେ୍ୟାଧନ ନିଜର ଅହଂକାର ଏବଂ ସ୍ୱାର୍ଥ ନିମନ୍ତେ ପ୍ରୟୋଗ କରିଥିଲା । ଦୁର୍ଯେ୍ୟାଧନ ଶିକ୍ଷା ଲାଭବେଳେ ଦ୍ରୋଣଙ୍କୁ ସନେ୍ଦହ କରୁଥିଲା ଯେ ସେ ଅର୍ଜ୍ଜୁନଙ୍କ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଠିକ୍ ଯେପରି କୁରୁକ୍ଷେତ୍ରରେ ଅର୍ଜ୍ଜୁନ ନିଜକୁ ଗୁରୁ କୃଷ୍ଣଙ୍କ ଠାରେ ସମର୍ପଣ କରିଦେଇଥିଲେ । ସେ କହିଥିଲେ ‘ହେ ସଖା ହେ ଗୁରୁ ନିଜର ସଂପର୍କୀୟମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ଦେଖି ମୋର ତଣ୍ଟି ଶୁଖିଯାଉଛି । ଗାଣ୍ଡିବ ଧନୁ ଉଠାଇବାର ଶକ୍ତି ମୋର ଯେପରି କିଏ ନେଇଯାଇଛି । ଏହି ସଂକଟରୁ ରକ୍ଷା କରିବା ନିମନ୍ତେ ମୋର ବିବେକକୁ ଆଲୋକ ଦେଖାଅ ।’ ଏହାପରେ ଶ୍ରୀକୃଷ୍ଣ ଅର୍ଜ୍ଜୁଙ୍କୁ ସଂସାରର ବିଭିନ୍ନ ଚିତ୍ର ଏବଂ ମାୟା କିପରି ଏହାକୁ ସୃଷ୍ଟି କରିଚାଲିଛି ଆଦି କହିଲେ । କୁହାଯାଏ କୁରୁକ୍ଷେତ୍ରରେ ଶିଷ୍ୟ ଅର୍ଜ୍ଜୁନ ବତ୍ସା ହୋଇ ଗୁରୁ ଶ୍ରୀକୃଷ୍ଣ ରୂପକ ଗାଭୀଙ୍କ ଠାରୁ ଜ୍ଞାନର ଯେଉଁ ଦୁଗ୍ଧ ପ୍ରବାହିତ କଲେ ତାହା ଭାଗବତ ଗୀତା ରୂପେ ସଂସାର ଜାଣିଲା । ଶିରିଡ଼ି ସାଇବାବା ସବୁବେଳେ ଭଗବତଗୀତା ପାଠ କରିବାପାଇଁ ଶିଷ୍ୟ ମାନଙ୍କୁ କହୁଥିଲେ ।
ନିରୁପମା ଭୂୟାଁ,ମୋ: ୯୯୩୭୪୭୦୯୮୦