ଗୋଟିଏ କୋଠାରେ ରହିବେ କୋଟିଏ ଲୋକ !
ବିଜ୍ଞାନ ଯେତେ ଆଗଉଛି ତା ସହ ତାଳ ଦେଇ ମଣିଷ ମଧ୍ୟ ସେତେ ଆଗକୁ ଆଗକୁ ଯାଉଛି । ପାଠ ପଢାଠୁ ନେଇ ଘର ତିଆରି ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର ହେଉଛି ନୂଆ ନୂଆ ଜ୍ଞାନ କୌଶଳ । ସେହିପରି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ନିର୍ମାଣ କରାଯାଉଛି ଏମିତି ଏକ କୋଠା ଯେଉଁଥିରେ କି ରହିବ ଗୋଟିଏ ସାରା ସହର । ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଆଜ୍ଞା ହଁ ସାଉଦି ଆରବ ତରଫରୁ ୫୦୦ ଆରବ ଡଲାର ଖର୍ଚ୍ଚ ବିନିମୟରେ ମରୁଭୂମିରେ ନିର୍ମାଣ କରାଯାଉଛି । ମରୁଭୂମିରେ ହେଉଥିବା ନିଓମ ମେଗାସିଟିର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ନିଓମ ସହର ନିର୍ମାଣ ସାଉଦି ରାଜା ମହମ୍ମଦ ବିନ ସଲମାନଙ୍କର ସ୍ୱପ୍ନର ପରିକଳ୍ପନା । ଆଶା କରାଯାଉଛି କି,ଏହି ସହର ୨୦୩୪ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ।
ଏହାକୁ ନିର୍ମାଣ କରିବାକୁ ଏପର୍ଯ୍ୟନ୍ତ ୧୩୦ ମିଲିୟନ କ୍ୟୁବିକ୍ ମିଟରରୁ ଅଧିକ ମାଟି ହଟାଯାଇଛି । ସେହିଭଳି ନିର୍ମାଣ କରିବାକୁ ମୋଟ ୪ ହଜାର ଟ୍ରକ ଓ ୫ ଶହରୁ ଅଧିକ ଶ୍ରମିକ କାମରେ ଲାଗିଛନ୍ତି । ଅନ୍ୟ ସହର ଭଳି ଏହି ଗୋଟିଏ କୋଠା ଭିତରେ ରହିବ ସ୍କୁଲ,କଲେଜ,ମେଡିକାଲ,ଷ୍ଟାଡିୟମ ଇତ୍ୟାଦି । ଗାଡି ମଟର ଚାଲିବ,ବୃକ୍ଷ ରୋପଣ ମଧ୍ୟ ହେବ । ନିଓମର ମୁଖ୍ୟ ପ୍ରକଳ୍ପ ଅଧିକାରୀଙ୍କ କହିବା ମୁତାବକ ଏହା ବିଶ୍ୱର ସବୁଠାରୁ ଲମ୍ବା କୋଠା ହେବ । ଏହି କୋଠା ଭିତରେ ରହିବ ପୁରା ନିଓମ ସହର । ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣ ହେଉଥିବା ଏହି କୋଠାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । କୁହାଯାଉଛି ନିର୍ମାଣ ସରିଲେ ଏହି କୋଠା ଭିତରେ ପାଖାପାଖି ୯ ମିଲିୟନ ଲୋକ ରହିପାରିବେ । ଏହି ସହର ଭିତରେ ୮୦ ହଜାର ରେସିଡେନସିଆଲ ୟୁନିଟ, ୯ ହଜାର ହୋଟେଲ, ରିଟେଲ ସ୍ପେଶ, ସ୍କୁଲ, ପୋଲିସ ଷ୍ଟେସନ ଓ ଫାୟାର ଷ୍ଟେସନ ଆଦି ରହିବ । ଏହାସହ ୨୦୩୪ ଫିଫା ୱାର୍ଲ୍ଡକପ୍ ହୋଷ୍ଟ କରିବାକୁ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ ହେବ । ଏହି ସହର ଭିତରେ ଯେଉଁ ଗାଡି ଚଳାଚଳ କରିବ ସେଥିରୁ ୯୦ ପ୍ରତିଶତ ଗାଡି ବ୍ୟାଟେରୀ ଚାଳିତ ହେବ । ଏହାସହ ୯୫ ପ୍ରତିଶତ ଜମି ପ୍ରକୃତିର ସଂରକ୍ଷଣ ପାଇଁ ମଧ୍ୟ ଛଡାଯିବ । ତେବେ ସାଉଦିର ଜନସାଧାରଣ ଗୋଟିଏ କୋଠାରେ ଦେଖିବେ ସାରା ସହର । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ।