ଗୋଟିଏ ସ୍ଥାନରେ ହେବ ଲୋକସେବା ଏବଂ ନୂଆ ବିଧାନସଭା ଭବନ 

ଗୋଟିଏ ସ୍ଥାନରେ ହେବ ଲୋକସେବା ଏବଂ ନୂଆ ବିଧାନସଭା ଭବନ 

୧୪୭ରୁ ୨୦୦କୁ ବଢିବ  ବିଧାନସଭା ଆସନ !


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ସ୍ଥାନରେ ହେବ ଲୋକସେବା ଭବନ ଏବଂ ନୂଆ ବିଧାନସଭା । ନୂଆ ଲୋକସେବା ଭବନରେ ଭୂତଳ ପାର୍କିଂ ହେବ । ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍‌ ରହିବ ବ୍ୟବସ୍ଥା କରାଯିବ । ଏହା ସହ ନୂଆ ବିଧାନସଭାରେ ୩୦୦ରୁ ଅଧିକ ବିଧାୟକ ବସିବାର କ୍ଷମତା ରହିବ । ସରକାର ଏଥିଲାଗି ୩ ହଜାର ୬୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ୭୧.୧୩ ଏକର ଜମିରେ ନୂଆ ଲୋକସେବା ଭବନ ଏବଂ ବିଧାନସଭା ନିର୍ମାଣ ହେବ। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

   
  ସେହିପରି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କୀଟ ଛକରେ ଫ୍ଲାଏ ଓଭର ନିର୍ମାଣ ହେବ । ବିଶେଷ କରି ଜୟଦେବ ବିହାର ଛକରେ ଏକ ୪-ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ୍‌ ନିର୍ମାଣ ହେବ । ଏହାସହ ରାସ୍ତାର ଦୁଇ ପାର୍ଶ୍ୱରେ ୨୨,୪୧୦ଟି ଗଛ ଲଗାଯିବାର ବ୍ୟବସ୍ଥା ରହିଛି । ଆଜି ୬ ହଜାର ୭୦୧ କୋଟିର ୭୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆଜି ୫ ହଜାର ୬୩୧ କୋଟିର ୩୯ଟି ପ୍ରକଳ୍ପର ଭତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ୧ ହଜାର ୬୯ କୋଟିର ୩୨ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।