ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ସ୍କୁଟି ଧକ୍କା, ଜଣେ ମୃତ
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଚୈତନ୍ୟପଡା ଗ୍ରାମ ଛକ ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବଡବଜାର ଥାନା ପୁରୁଣା ବ୍ରହ୍ମପୁର ଅଞ୍ଚଳର ଗୟା ଦାସ (୩୦) । ଗୁରୁତର ଆହତ ଜଣଙ୍କ ହେଲେ ବ୍ରହ୍ମପୁର ବଡବଜାର ଥାନା ପୁରୁଣା ବ୍ରହ୍ମପୁର ମାର୍ଥା ସାହିର ନିରଞ୍ଜନ ଅପିଣ୍ଟୁ ପ୍ରଧାନ (୩୨) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଓ ଗୁରୁତର ଆହତ ଦ୍ୱୟଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଗୟାଙ୍କୁ ମୃତ ଘୋଷଣା କରିଥିଲେ । ନିରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଗୁରୁବାର ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି । ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଗୟା ଓ ନିରଞ୍ଜନ ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରୁ ସ୍କୁଟି ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ଜାତୀୟ ରାଜପଥ ଚୈତନ୍ୟପଡା ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଘଟଣା ସ୍ଥଳରେ ହିଁ ଗୟାଙ୍କ ମୃତୁ୍ୟ ଘଟିଥିଲା । ଏହି ଘଟଣା ନେଇ ଥାନାରେ କେସ୍ ରୁଜୁ ହୋଇଥିବା ପ୍ରକାଶ କରାଯାଇଛି ।