ଘରେ ପଶି ଭାଇ ଭଉଣୀଙ୍କୁ ଆକ୍ରମଣ

ଭୁବନେଶ୍ୱର, ୨୯ା୪ : ଘର ସାମ୍ନାରେ ବିଏମସି ଠେଲା ରଖିଥିବାରୁ ଘରେ ପଶି ବିଏମସି ସଫେଇ କର୍ମଚାରୀ ଓ ତାଙ୍କ ଭଉଣୀଙ୍କୁ ଇଟାରେ ମରଣାନ୍ତକ ଆକ୍ରମଣ । ଏନେଇ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ୨୦୪ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ସାଇ ବନଫୁଲ ବସ୍ତିର ନରେଶ ରାଉତ । ପରେ ଦଫା ୩୪୧, ୩୨୩, ୩୨୫, ୩୫୪, ୫୦୬ରୁ ଦଫା ୪୫୨/୪୨୭ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ପୂଜାରାଣୀ ନାୟକଙ୍କ ବଡ଼ ଭାଇ ବାବାଜୀ ରାଉତ ବିଏମସିରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଗତ ୨୬ ତାରିଖ ମଧ୍ୟ ରାତ୍ରିରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘର ଦେଇ ଯାଉଥିବା ସମୟରେ ବାବାଜୀ ବ୍ୟବହାର କରୁଥିବା ବିଏମସି ଠେଲା ଟିକୁ ତାଙ୍କର ଘର ସାମ୍ନାରେ ରଖାଯାଇଥିବାର ଦେଖିବାକୁ ପାଇଥିଲେ । ଏଥିରେ ରାଗିଯାଇ ଅଭିଯୁକ୍ତ ଜଣକ ବାବାଜୀଙ୍କ ଘରେ ପଶି ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଇଟାରେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ବାବାଜୀଙ୍କ ଭଉଣୀ ଅଭିଯୁକ୍ତକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ହତ୍ୟ ଧମକ ଦେଇ ଚାଲିଯାଇଥିଲା । ଏନେଇ ଭାଇ ଭଉଣୀ ମିଶି ହସ୍ପିଟାଲ ଯିବା ସହ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ସୋମବାର ଅଭିଯୁକ୍ତକୁ ଗିରଫ କରିଛି ।