ଶିଖରଚଣ୍ଡୀ ବସ୍ତିରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା : ୩ ମାସ ପରେ ହତ୍ୟାକାରୀ ଗିରଫ


 ଭୁବନେଶ୍ୱର, ୬ା୪ : ଶିଖରଚଣ୍ଡୀ ବସ୍ତି ହତ୍ୟା ଘଟଣାରେ ଇନଫୋସିଟି ଥାନା ପୁଲିସ ଜଣକୁ ୩ ମାସ ପରେ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ, ଶିଖରଚଣ୍ଡୀ ନଗରରେ ରହୁଥିବା କାଳିଆ ସ୍ୱାଇଁ । ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
 ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ସୁମିତ୍ରା ସୈଗଲଙ୍କ ସ୍ୱାମୀ ସୀମା ସୈଗଲ ଏବଂ ଅଭିଯୁକ୍ତ କାଳିଆ ସ୍ୱାଇଁ ନିଜ ନିଜ ପରିବାର ସହ ଶିଖରଚଣ୍ଡୀ ବସ୍ତିରେ ରହୁଥିବା ବେଳେ ପରସ୍ପରକୁ ବେଶ ଭଲ ଭାବେ ଜାଣନ୍ତି । ଘଟଣାର କିଛି ଦିନ ପୂର୍ବରୁ ଅଭିଯୋଗକାରିଣୀଙ୍କ ସ୍ୱାମୀ ଅଭିଯୁକ୍ତଙ୍କୁ ତାଙ୍କ ପନôୀଙ୍କ ଚରିତ୍ରକୁ ଆକ୍ଷେପ କରି ବିଭିନ୍ନ ପ୍ରକାର ଖରାପ ମନ୍ତବ୍ୟମାନ ନିୟମିତ ଭାବେ ଦେଇଆସୁଥିଲେ । ଯାହାଫଳରେ ଅଭିଯୁକ୍ତ ଜଣକ ତାଙ୍କୁ ସେଥିରୁ ନିବୃ ରହିବା ଲାଗି ବାରମ୍ବାର ତାଗିଦ କରୁଥିଲେ  । ଗତ ତା.୦୬.୧୨.୨୦୨୩ ରିଖ ଦିନ ସନ୍ଧ୍ୟାରେ ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ମାରଧର ହୋଇଥିଲା  । ଝଗଡା ପରେ ଉଭୟ ସେହି ସ୍ଥାନ ଛାଡି ତୁରନ୍ତ ଚାଲି ଯାଇଥିଲେ । ସେହି ଦିନ ରାତି ୧୧ଟା ସମୟରେ ସୀମା ସୈଗଲ, ଚୀନା ଏବଂ ଅବିନାଶ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ସହ ଜାଲିମୁଣ୍ଡା ସାହି ମୁଖ୍ୟ ରାସ୍ତା କଡ ଏକ ସ୍ଥାନରେ ବସି କଥା ହେଉଥିବା ବେଳେ ଅଭିଯୁକ୍ତ କାଳିଆ ସେଠାକୁ ଆସି ଏକ ଧାରୁଆ ଛୁରୀ ସାହାଯ୍ୟରେ ତାଙ୍କ ପେଟକୁ ଭୁଷିଦେଇ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ । ସୂଚନା ପାଇ ଅଭିଯୋଗକାରିଣୀ ଘଟଣା ସ୍ଥଳରୁ ସ୍ୱାମୀ ସୀମା ସୈଗଲଙ୍କୁ ଉଦ୍ଧାର କରି ପ୍ରଥମେ କିମସ୍ ହସ୍ପିଟାଲ ଏବଂ ପରେ ସ୍ଥିତି ଜଟିଳ ହେବାରୁ ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରେ ଚିକିସôିତ ଅବସ୍ଥାରେ ଗତ ତା.୦୮.୧୨.୨୦୨୩ ରିଖ ଦିନ ତାଙ୍କର ମତୁ୍ୟ ହୋଇଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାଇ ଏକ ଧାରୁଆ ଅସ୍ତ୍ରାଘାତ ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ଦର୍ଶାଇ ହସ୍ପିଟାଲ ତରଫରୁ ମଙ୍ଗଳାବାଗ ଥାନାରେ ଏକ ୟୁଡି ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାକୁ ନେଇ ଇନଫୋସିଟି ଥାନା ତରଫରୁ ନିଜ ଆଡୁ ତଦନ୍ତ କରାଯାଉଥିବା ବେଳେ ମଙ୍ଗଳାବାଗ ଥାନା ସହିତ ଯୋଗଯୋଗ କରାଯାଇଥିଲା  । ପ୍ରଥମେ ଘଟଣା ସ୍ଥଳରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ତଥା ପାରିପାର୍ଶ୍ୱିକ ପରିସ୍ଥିତିରୁ, ସୀମା ସୈଗଲଙ୍କ କ୍ଷତ ସାଇକେଲ ହ୍ୟାଣ୍ଡେଲ ଆଘାତରୁ ହୋଇଥିବା ସନେ୍ଦହ କରାଯାଉଥିଲା  । କିନ୍ତୁ ପରେ ପୋଷ୍ଟମର୍ଟମ ରିପୋର୍ଟ ଅଧାରରେ ତଥା ମଙ୍ଗଳାବାଗ ଥାନାରୁ ମିଳିଥିବା ସୂଚନାକୁ ଆଧାର କରି ଇନ୍ଫୋସଟି ଥାନା ତଦନ୍ତ ଚଲାଇ ଥିଲେ । ତଦନ୍ତ ଚାଲିଥିବା ସମୟରେ ପୁଲିସ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ ଅଭିଯୁକ୍ତ କାଳିଆ ସ୍ୱାଇଁକୁ ଗିରଫ କରିଥିବା ବେଳେ ଘଟନରେ ବ୍ୟବହୃତ ଏକ ଛୁରୀକୁ ଜବତ କରିଥିଲେ ।