ଘରୋଇ ପଞ୍ଜିକରଣ ହୋଇଥିବା ଗାଡି ବ୍ୟବସାୟୀକ ଉଦେ୍ଦଶ୍ୟରେ ବ୍ୟବହାର

କେନ୍ଦୁଝର: ଘରୋଇ ପଞ୍ଜିକରଣ ହୋଇଥିବା ଗାଡି ଏକକ ଅନୁଷ୍ଠାନ,ଶିଳ୍ପ ସଂସ୍ଥାରେ ଭଡା ଉଦେ୍ଦଶ୍ୟରେ କିମ୍ବା ଭଡା କାର୍ଯ୍ୟରେ ବ୍ୟବହାର ହୋଇପାରିବ ନାହିଁ । ମାତ୍ର ପରିବହନ ବିଭାଗର ଏହି ନିୟମକୁ ନମାନି ବଲେରୋ, ସ୍କୋର୍ପିଓ ଆଦି ଗାଡି ଅନେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ଭଡାରେ ଲାଗିଥିବା ଅଭିଯୋଗ ହେଉଛି । 
ଏପରିକି କେନ୍ଦୁଝର ବନଖଣ୍ଡ ବଡବିଲ ରେଞ୍ଜ କାର୍ଯ୍ୟାଳୟରେ ପ୍ରାଇଭେଟ ନମ୍ବର ପଞ୍ଜିକରଣ ହୋଇଥିବା ଓଡି ୧୧ ୫୨୬୮ ନମ୍ବର ଏକ ବଲେରୋ ଗାଡି ଭଡାରେ ନେଇ ବ୍ୟବହାର କରାଯାଉଛି । ବେସରକାରୀ ନମ୍ବର ରେଜିଷ୍ଟେସନ ଥିବା ଗାଡି ଭଡାରେ କମର୍ସିଆଲ ଭାବେ ବ୍ୟବହାର ହୋଇଥିବାରୁ ସରକାରଙ୍କ ରାଜସ୍ୱହାନୀ ହେଉଛି । ଏପରି କଲେ ଗାଡି ଭଡା ଲଗାଇଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବା ସହ ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ଏଭଳି କାର୍ଯ୍ୟ ମୋଟରଯାନ ଆଇନ ୧୯୮୮କୁ ଖୋଲା ଉଲ୍ଲଘଂନ କରୁଛି । ଏଭଳି ନଜର ଆସିଲେ ଗାଡି ମାଲିକଙ୍କଠାରୁ ରେଜିଷ୍ଟେସନ ହେବା ଦିନଠାରୁ ଟ୍ୟାକ୍ସ ଏବଂ ଜରିମାନା ଆଦାୟ ସହିତ ପ୍ରାଇଭେଟରୁ କମର୍ସିଆଲ ପରିବର୍ତ୍ତନ କରାଯିବ ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି । ସୂଚନାଯୋଗ୍ୟ ଯେ, କମର୍ସିଆଲରେ ପଞ୍ଜିକରଣ କଲେ ବୀମା, ରୋଡ ଟ୍ୟାକ୍ସ ଅଧିକ ଥିବାରୁ ଏହାକୁ ଫାଙ୍କିବା ପାଇଁ ପ୍ରାଇଭେଟ ନମ୍ବର କରୁଛନ୍ତି । ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ହେଉଛି । ଏପରିକି ପ୍ରାଇଭେଟ ନମ୍ବର ଗାଡି ପରମିଟ ଦରକାର ପଡୁନଥିବାରୁ ଗାଡି ମାଲିକଙ୍କ ଲାଭ ହେଉଥିବା ଯୋଗୁ ପ୍ରାଇଭେଟ ନମ୍ବରରେ ପଞ୍ଜିକରଣ କରୁଛନ୍ତି । ପରିବହନ ବିଭାଗ ପକ୍ଷରୁ ଧରପଗଡ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଯୋଡା ବଡବିଲ ଖଣି ଅଂଚଳରେ ବହୁ ସଂଖ୍ୟାରେ ଘରୋଇ ପଞ୍ଜିକରଣ ହୋଇଥିବା ଗାଡି ବ୍ୟବସାୟ ଉଦେ୍ଦଶ୍ୟରେ ବ୍ୟବହାର ହେଉଛି । ପରିବହନ ବିଭାଗ ନିୟମିତ ଧରପଗଡ କରୁନଥିବାରୁ ସରକାରଙ୍କ ବ୍ୟବାପକ ରାଜସ୍ୱହାନୀ ହେଉଛି । ସେହିପରି ସରକାରୀ କାର୍ଯ୍ୟାଳୟରେ ୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବସାୟ ଉଦେ୍ଦଶ୍ୟରେ ଭଡାରେ ଦିଆଯାଇପାରିବ ନାହିଁ ବୋଲି ନିୟମ ରହିଛି । ମାତ୍ର ଏହି ନିୟମ ଉଲ୍ଲଙ୍ଘନ ହୋଇ ବହୁ ପରୁଣା ଗାଡି ସରକାରୀ ଅଫିସରେ ଭଡାରେ ଲାଗିଛି ।