ଚଢା ଦରରେ ସାର ବିକ୍ରି
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ରାସାୟନିକ ସାର ଚଢାଦରରେ ବିକ୍ରି ହେଉଥିବା ଦେଖାଦେଇଛି । ବିକ୍ରୟ ମୂଲ୍ୟରେ କୌଣସି ସ୍ୱଚ୍ଛତା ରହୁନାହିଁ । ବ୍ଲକର ବିଭିିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଦରରେ ବିକ୍ରି ହେଉଥିବା ଦେଖାଯାଉଛି । ସରକାରୀ ଧାର୍ଯ୍ୟ ଦର ଠାରୁ ରାସାୟନିକ ସାର ୫୦ରୁ ୨୦୦ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଜଣାଯାଇଛି । ୟୁରିଆ ବସ୍ତା ପଛା ୩୦୦ ଟଙ୍କା ବିକ୍ରି ହେବାକୁ ଥିବାବେଳେ କେତକ ସ୍ଥାନରେ ୪୦୦ଟଙ୍କା, ଡିଏପି ସାର ୧୩୫୦ ପରିବର୍ତ୍ତେ ୧୫୦୦ଟଙ୍କା ବିକ୍ରି ହେଉଥିବା ଅଭିଯୋଗ ହେଉଛି । କିଛି ବର୍ଷ ହେବ ଏହି ଅଞ୍ଚଳରେ ସମାନ ଅବସ୍ଥା ହେଉଥିବାବେଳେ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଉଛି । ଚାଷୀଙ୍କ ଅଭିଯୋଗ ମୁତାବକ ଚଳିତ ଖରିଫ ଋତୁରେ ହୋଇଥିବା ଧାନ ତଥା କପା ଫସଲରେ ମୂଳ ସାର ପ୍ରୟୋଗ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ । କାରଣ ଧାନ ତଥା କପା ଗଛକୁ ସଶକ୍ତ କରିବାରେ ସହାୟକ ହୋଇଥାଏ । ତେବେ ଗଛକୁ ମୂଳରେ ୟୁରିଆ, ପଟାସ, ଡିଏପି ସାର ପ୍ରୟୋଗର ଯଥେଷ୍ଟ ଗୁରୁତ୍ୱ ରହିଛି । ଉକ୍ତ ବ୍ଲକରେ ସମସ୍ତ ସମବାୟ ସମିତିମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ସାର ରଖୁନାହାନ୍ତି । ଯାହାଫଳରେ ଖୁଚୁରା ବିକ୍ରୟ କେନ୍ଦ୍ରରେ ମାାତ୍ରାଧିକ ଦରରେ ଶୁଣି ଚାଷୀ ଚିନ୍ତାରେ ପଡୁଛନ୍ତି । ମହାଲିଙ୍ଗ, ଚପ୍ରିଆ, କୁହୁରା, ବଡଚେରଗାଁ, ମାନଝରି, ଦସପୁର, ଧାମନପୁର, ତୁମୁରା ଉଛୁଲା ଆଦି ଅଞ୍ଚଳର ଥିବା ସାର ଖୁଚୁରା ବିକ୍ରୟ କେନ୍ଦ୍ରମାନଙ୍କରେ ଚଢାଦରରେ ସାର ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଉକ୍ତ ଅଞ୍ଚଳରେ ସାର ତଥା କୀଟନାଶକ କେନ୍ଦ୍ରରେ ଦର ତାଳିକା ଟଙ୍ଗା ଯାଉନାହିଁ । ସାର ସହିତ କିଛି କୀଟନାଶକ ଔଷଧ ଏବଂ ତରଳ ସାର ଟ୍ୟାଗ କରି ନେବାକୁ ଚାଷୀଙ୍କୁ ବାଧ୍ୟ କରୁଥିବାର ଦେଖାଯାଉଛି । ସେହିପରି କୋ-ଅପରେଟିଭ ସୋସାଇଟି ମାଧ୍ୟମରେ ଯୋଗାଣର ଉପକାର ଅନେକ ସମୟରେ ଚାଷୀ ପାଇ ପାରୁନାହାନ୍ତି । ଏ ସଂପର୍କରେ ଗୋଲାମୁଣ୍ଡା ଗୋଷ୍ଠୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କୁ ପଚାରିବାରୁ ଏ ଦିଗରେ ଆମେ ଯନôବାନ ରହିଛୁ, ଖୁବଶୀଘ୍ର ଚଢଉ କରାଯିବ ବୋଲି କହିଛନ୍ତି ।