ଚନ୍ଦକା ଏସ୍‌ଓଜିର ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ : ବଢ଼ିଲା ଏସ୍‌ଓଜି ଯବାନଙ୍କ ରିସ୍କ ଭତ୍ତା 

ଚନ୍ଦକା ଏସ୍‌ଓଜିର ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ : ବଢ଼ିଲା ଏସ୍‌ଓଜି ଯବାନଙ୍କ ରିସ୍କ ଭତ୍ତା 

ହିଂସାରେ ଲିପ୍ତ ସଂଗଠନକୁ ଦମନ କରାଯିବ : ମୋହନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସଓଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହାସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୬ ଜିଲ୍ଲାର ୧୬ ଥାନା ଗୃହ, ୭୦ କ୍ୱାର୍ଟର, ଅଫିସ ଗୃହ, ବାରାକ୍‌, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ହିଂସାରେ ଲିପ୍ତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସରକାର ଅତ୍ୟନ୍ତ କଠୋର ଭାବରେ ଦମନ କରିବା ପାଇଁ ବଦ୍ଧ ପରିକର ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ ଏବଂ ବିକାଶ ପାଇଁ ସରକାରଙ୍କ ପ୍ରଗତି ରଥରେ ସାରଥି ସାଜନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ ଏସଓଜିର ଅବଦାନ ଅନନ୍ୟ । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଡେଡ୍‌ ଲାଇନ ରଖିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ।


  ନିକଟରେ ମାଲକାନଗିରି ଜିଲ୍ଲାରେ ୨୨ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏଦିଗରେ ଏକ ଉତ୍ସାହଜନକ ପଦକ୍ଷେପ । ଦେଶର ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଗୃହ ମନ୍ତ୍ରୀଙ୍କ ଷ୍ଟ୍ରାଟେଜି ଯୋଗୁଁ ଦେଶ ଆଜି ଶାନ୍ତି ଓ ବିକାଶର ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏସଓଜି ଓ ଅନ୍ୟ ସଂପୃକ୍ତ ନକ୍ସଲ ଦମନ ସଂସ୍ଥାର ଯବାନମାନଙ୍କ ରିସ୍କ ଆଲାଉନ୍ସ ବିଷୟ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେଯେ, ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ ବା ଏସଓଜି ଅଫିସରମାନେ ମାସିକ ସର୍ବାଧିକ ୨୫ ହଜାର ଟଙ୍କା ରିସ୍କ ଆଲାଉନ୍ସ ପାଇବେ । ସେହିପରି ଏସଓଜିର ସୁବେଦାର ଓ ଡେପୁଟି ସୁବେଦାରମାନେ ମାସିକ ୨୪,୦୦୦ ଟଙ୍କା, ହାବିଲଦାରମାନେ ମାସିକ ୨୦,୦୦୦ ଟଙ୍କା, ଏବଂ କନଷ୍ଟେବଲ ଓ ସିପାହୀମାନେ ମାସକୁ ୧୬ ହଜାର ଟଙ୍କା ଭତ୍ତା ପାଇବେ । ସେହିପରି, ଏସଓଜି ଅଧିକାରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨ ହଜାର ଟଙ୍କା ପାଇବେ । ସେହିପରି ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିଅର ଫୋର୍ସର କର୍ମଚାରୀମାନେ ମାସିକ ସର୍ବାଧିକ ୧୦ ହଜାର ଟଙ୍କା ଏବଂ ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍‌ର କର୍ମଚାରୀମାନେ ମାସିକ ସର୍ବାଧିକ ୨୦ ହଜାର ଟଙ୍କା ଭତ୍ତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


   ସେ କହିଥିଲେ, ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ନିମନ୍ତେ ଆମ ସରକାରଙ୍କଦ୍ୱାରା ୩ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଙ୍ଗ୍‌ ଫୋର୍ସ ବାଟାଲିୟନ, ୩ ଓଆଇଏସଏଫ (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ), ୧୦ଟି ନୂତନ ଓଡ୍ରାଫ ୟୁନିଟ, ଗୋଟିଏ ଟ୍ରାଫିକ୍‌ ଓ ରୋଡ ସେଫ୍ଟି ୱିଙ୍ଗ,  ୨୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ ନୂତନ ପୁଲିସ ଜିଲ୍ଲା (ରାଇରଙ୍ଗପୁର ପୁଲିସ ଜିଲ୍ଲା) ପ୍ରତିଷ୍ଠା କରାଯାଇଛି । ଏଥିସହିତ, ଆମ ସରକାର ପୁଲିସ ବିଭାଗରେ ସର୍ବମୋଟ ୧୫,୩୨୬ଟି ନୂତନ ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେ ଆହୁରି କହିଥିଲେଯେ, ରାଜ୍ୟ ସରକାର ଇତିମଧ୍ୟରେ ସଂଶୋଧିତ  ‘ଆତ୍ମସମର୍ପଣ ଏବଂ ପୁନର୍ବାସ’ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ସହିତ ବାସଗୃହ, ଶିକ୍ଷା ସହାୟତା, ବିବାହ ସହାୟତା ଏବଂ ରୋଜଗାର ନିମନ୍ତେ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ସହିତ ବୃତ୍ତିଗତ ତାଲିମର ସୁବିଧା ମିଳିପାରିବ।

 
 ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏସଓଜି କମାଣ୍ଡୋମାନେ ସାହାସିକତା ଭରା ଆତଙ୍କ ଦମନ ଡେମୋ ଅପରେସନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ, ଏଡ଼ିଜିପି ସଞ୍ଜୀବ ପଣ୍ଡା, ଆଇଜି ଡ.ଦୀପକ କୁମାର, ଡିଆଇଜି ଅଖିଳେଶ୍ୱର ସିଂ, ବରିଷ୍ଠ ପୁଲିସ ଅଫିସର ସମେତ ଏସଓଜି ପୋଲିସ କର୍ମଚାରୀଗଣ ଉପସ୍ଥିତ ଥିଲେ।