ଚମ୍ପୁଆ ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ
ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତି ର ୧୧ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷା ପଦ୍ମାବତୀ ମହାକୁଡ଼, ବିଡ଼ିଓ ସ୍ମୃତି ରଞ୍ଜନ ସାହୁ,ଏବିଡିଓ ଚୁନୁ ହାଁସଦା,୧୫ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାଏକ,୧୪ର ସଦସ୍ୟ ଉଦୟ ନାୟକ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ଚମ୍ପୁଆ ବିଧାୟକ ପ୍ରତିନିଧି ସଞ୍ଜୀବ କୁମାର ବେହେରା, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମେ ବିଡ଼ିଓ ଶ୍ରୀ ସାହୁ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅତିଥି ଅଧିକାରୀ ମାନଙ୍କୁ ସ୍ୱାଗତ ଜଣାଇ ଆଜିର ବୈଠକ ଉପରେ ସୂଚନା ଦେଇଥିଲେ । ଏବିଡିଓ ଚୁନୁ ହାଁସଦା ବିକଶିତ ଓଡ଼ିଶା ଓ ବିକଶିତ ଗାଁ ବାବଦରେ ସମସ୍ତ ପଞ୍ଚାୟତର ଉନ୍ନୟନ କାମପାଇଁ ଚଳିତ ଆର୍ଥିକ ବର୍ଷର ବ୍ୟୟବରାଦ ଉପରେ ସୂଚନା ଦେଇଥିଲେ । ସେହିପରି ଆୟୁଷ୍ମାନ କାର୍ଡ, ଶିକ୍ଷା ବିଭାଗରେ ଡ୍ରପ ଆଉଟ୍ ସମସ୍ୟା, ଗ୍ରୀଷ୍ମ ଅବକାଶ ସମୟରେ ସ୍କୁଲ ପରିସର ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିବା, ବିଦ୍ୟାଦାନ ସମୟରେ ମଦ୍ୟପ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ବିଭାଗ ଚୁପ୍ ରହିବା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା । କାନପୁର ବୃହତ ଜଳସେଚନ ପ୍ରକଳ୍ପରୁ କମ୍ପାନୀ ମାନେ ପାଣି ନେଇ ଯାଉଥିବାରୁ ବୈତରଣୀ ନଦୀ ଶୁଖିଲା ପଡ଼ିଛି ବୋଲି ଅଭିଯୋଗ ହୋଇଥିଲା । ସେହିପରି ବିଦୁ୍ୟତ, ରାସ୍ତାଘାଟ, ଜଙ୍ଗଲ,ଜଳ ଓ ପରିମଳ, ଜଳସେଚନ, ଉଦ୍ୟାନ ବିଭାଗ ଆଦିର ସମସ୍ୟା ସହ ପଞ୍ଚାୟତ ମାନଙ୍କରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ଉପରେ ପ୍ରତିନିଧି ମାନେ ଦୃଷ୍ଟି ଆକର୍ଷଣ କରିଥିଲେ ।