ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

 ଯାଜପୁରଟାଉନ:  ସୋମବାର ରାତିରେ ଯାଜପୁର ଥାନା ବିଚିତ୍ରପୁର ପଞ୍ଚାୟତ ଲଳିତେଶ୍ୱରନଗର ଅଞ୍ଚଳରେ ଥିବା ତାରିଣୀ ମନ୍ଦିରରୁ ଦୁର୍ବୃତ ରୂପା ମୁକୁଟ, ଚିତା, ଆଖି, କାନଫୁଲ, ହାର ସମେତ ମା’ଙ୍କର ଆସବାସ ପତ୍ର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏସ୍ଆଇ ସୁବାସ ଚନ୍ଦ୍ର ମୁଦୁଲି ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏପରିକି ମା’ଙ୍କ ଦାନବାକ୍ସ ଦୁର୍ବୃତ ଚୋରି କରି ନେଇ ଯାଇଥିବା ସଂପର୍କରେ ମଦନ ମୋହନ ନନ୍ଦ ଲିଖିତ ଅଭିଯୋଗ କରିଥିଲେ । ଗତ କିଛିଦିନ ତଳେ ଏହି ଲଳିତେଶ୍ୱର ନଗର ଅଞ୍ଚଳରୁ ଗୋଟିଏ ରାତିରେ ୩ଟି ଚୋରି ହୋଇଥିଲା । ଭଡ଼ା ଘରେ ରହୁଥିବା ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ ଗ୍ରୀଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଆସବାସ ପତ୍ର ଲୁଟି ନେଇଥିଲେ । ଏନେଇ ଯାଜପୁର ଥାନାରେ ତିନୋଟି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅଦ୍ୟାବଧି ଚୋରି ଘଟଣାରେ କାହାକୁ ଗିରଫ କରାଯାଇନାହିଁ ।