ଚାକିରି ନାଁରେ ଯୁବତୀଙ୍କ ଠାରୁ ୬ ଲକ୍ଷ ଚଳୁ ; ଠକ ଗିରଫ
ଭୁବନେଶ୍ୱର, ୧୫ା୬ : ଜଣେ ଯୁବତୀଙ୍କୁ ଚାକିରି ଦେବାକୁ କହି ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ଚଳୁ କରିଥିବା ଠକକୁ ଶୁକ୍ରବାର ଦିନ ଗିରଫ କରିବାରେ ସଫଳ ହୋଇଛି ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଓଡପଡାର ଦୀପ୍ତିରଂଜନ ପଲେଇ(୩୦) । ଅନ୍ୟପଟେ ପୁଲିସ ଅଭିଯୋଗକାରିଣୀ ପୀଡିତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରୀ ମାଇନା କରାଇଛି ।
ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ୨୦୨୩ ମସିହାରୁ ଚାକିରି ଯୋଗାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେବା ସହ ଅଭିଯୋଗକାରିଣୀଙ୍କ ଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଚାକିରି ପାଇଁ ତାଲିମ ଦେବାର ବାହାନା କରି ହୋଟେଲକୁ ଡାକିବା ସହ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଉକ୍ତ ଘଟଣା ବିଷୟରେ ଅନ୍ୟତ୍ର ପ୍ରକାଶ ହେଲେ ତାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ଅଭିଯୁକ୍ତ ଜଣକ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାକିରି ଯୋଗାଇ ଦେବା ପାଇଁ ଟଙ୍କା ନେଇ ତାଙ୍କ ଜୀବନକୁ ନଷ୍ଟ କରିଦେଇଥିବାରୁ ସେ ଏନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରିବା ସହ ଏୟାରଫିଲ୍ଡ ଥାନା ପୁଲିସ ଚଢାଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାର କରିଛି ।