ରାଜଧାନୀରେ ଅସୁରକ୍ଷିତ ଜମି ମାଲିକ ; ଦଲାଲଙ୍କ ସହ ହାତ ମିଳାଇଛି ପୁଲିସ
।ା ଜିତେନ୍ଦ୍ର ସାହୁ ।ା ଭୁବନେଶ୍ୱର, ୨୨ା୬ : ସ୍ମାଟ ସିଟିରେ ଜାଗା କିଣିବା ପାଇଁ ଅନେକ ଲୋକେ ସ୍ୱପ୍ନ ଦେଖିଥାନ୍ତି । ସେମାନେ ବହୁ କଷ୍ଟ କରି ସଞ୍ଚୟ କରି ରଖିଥିବା ଝାଲ ବୁଝା ଧନରେ ଜମି କିଣୁଛନ୍ତି । ସହର ଭିତରେ ହେଉ କି ଉପକଣ୍ଠରେ ଜାଗା ଖଣ୍ଡେ ମିଳିଲେ ଚଢା ଦାମ ଦେଇ କିଣୁଛନ୍ତି ଲୋକେ । କିନ୍ତୁ ପରେ ସେମାନଙ୍କ ଅଜାଣରେ ଠକାମିର ଶିକାର ହେଉଛନ୍ତି । କିଏ ଅନ୍ୟର ଜମିକୁ ଜାଲିଆତି କରି ଏକାଧିକ ଲୋକଙ୍କୁ ବିକ୍ରି କରି ଦେଲାଣି ତ, ଆଉ କେଉଁଠି ଜଣେ ଜମି ମାଲିକ ଜମି କିଣିଥିଲେ ମଧ୍ୟ ସେ ପୋଜେସନ୍ ନେଇପାରୁନାହିଁ । ଅନ୍ୟକେହି ଉକ୍ତ ଜମିକୁ ଜୋର ଜବରଦସ୍ତି ନିଜ କବଜାରେ ରଖିଛନ୍ତି । ଏନେଇ ଥାନାରେ ଅଭିଯୋଗ କଲେ ପୁଲିସ ସିଭିଲ କେସ୍ କହି କୋର୍ଟକୁ ପଠାଇ ଦେଉଛି । ଯେଉଁଥି ପାଇଁ ଜମି ମାଲିକ ବାଧ୍ୟ ହୋଇ ଜମି ପୋଜେସନ୍ ନେବାକୁ ଅନ୍ୟ ଉପାୟ ବାଛୁଛନ୍ତି ।
ଜମି ଖାଲି କରିବାକୁ ରାଜଧାନୀରେ ଗଢିଉଠିଛି ଗ୍ୟାଙ୍ଗ୍ -
ଅନେକ ସମୟରେ ଦେଖାଯାଉଛି, ଜାଗା କିଣି ଥିଲେ ବି, ସେହି ଜାଗାକୁ ନିଜ ଦଖଲକୁ ନେଇପାରୁନାହାଁନ୍ତି ମାଲିକ । ଆଉ କେତେ ବେଳେ ଜମିର ଆଂଶିକ ମାଲିକ ଥିବା ବ୍ୟକ୍ତି ବି ପୂରା ଜମି ବିକ୍ରି କରି ଦେଉଛନ୍ତି । ଆଉ ଯଦି ଜମି କିଣିଥିବା ଲୋକ ଟିକେ ଶକ୍ତିଶାଳୀ ସେ ଜୋରଜବରଦସ୍ଥି ଜମି ଦଖଲ କରିବାକୁ ଉଦ୍ୟମ କରୁଛନ୍ତି । ଆଇନରୁ ଉର୍ଦ୍ଧର୍କୁ ଯାଇ ଅପରାଧୀଙ୍କ ସାହାରା ନେଉଛନ୍ତି । ଯେଉଁଥି ପାଇଁ ରାଜଧାନୀରେ ଏବେ ଏକାଧିକ ଲୋକାଲ ଦାଦାଙ୍କ ଦବ୍ଦବା ବଢିବାରେ ଲାଗିଛି । ସେମାନେ ଟଙ୍କା ନେଇ ଜମି ପୋଜେସନ୍ ଦେଉଛନ୍ତି ।
ଟାର୍ଗେଟରେ ରାଜଧାନୀ ଉପକଣ୍ଠ ଜମି -
ଦମି ଦଲାଲ ମୁଖ୍ୟତଃ ରାଜଧାନୀ ଉପକଣ୍ଠ ଜମିକୁ ଟାର୍ଗେଟ କରି ବିକ୍ରି କରି ଦେଉଛନ୍ତି । ବିଶେଷ କରି ମଳିପଡ଼ା, ଭରତପୁର,ଆମ୍ରି ହସ୍ପିଟାଲ, ଆଇଗିଣିଆ, କୋଳଥିଆ, ଘାଟିକିଆ, ପାତ୍ରପଡ଼ା, ଏମସ୍, ଜାଗମରା, ଡ଼ୁମୁଡ଼ୁମା, ଧଉଳି, ପାହାଳ, ପଟିଆ, ଜଟଣୀ, ତମାଣ୍ଡୋ, ଚନ୍ଦକା, ବାଲିପାଟଣା, ବାଲିଅନ୍ତା ଏବଂ ରାଜଧାନୀ ଉପକଣ୍ଠ ଜମି । ଯେଉଁ ଜମିର ମାଲିକ ଦୂରରେ ତଥା ରାଜ୍ୟ ବାହାରେ ରହୁଛନ୍ତି,ସେମାନଙ୍କ ଜମିକୁ ଆଗେ ଟାର୍ଗେଟ କରାଯାଉଛି । ଦଲାଲ ଉକ୍ତ ଜମିକୁ ଦେଖିବା ପରେ ସବ୍ରେଜିଷ୍ଟାର ଅଫିସ୍ରେ କାର୍ଯ୍ୟ କରୁଥିବା ମୋହରିଙ୍କୁ ହାତ କରୁଛନ୍ତି । ତାଙ୍କ ମାଧ୍ୟମରେ ଗୋଟିଏ ଜମିର ସେଲ୍ ଡିଡି ବ୍ୟବହାର କରି ଦଲାଲ ମାଧ୍ୟମରେ ଏକାଧିକ ଲୋକଙ୍କୁ ବିକ୍ରି କରି ଦେଉଛନ୍ତି ।
ରାଜଧାନୀରେ ଦଲାଲ ଖୋଲିଛନ୍ତି ଠକ ସଂସ୍ଥାଁ -
ଏବେ ରାଜଧାନୀ ଏକାଧିକ ଦଲାଲ ଠକେଇ ପାଇଁ ବିଭିନ୍ନ ସ୍ଥାନରେ ଅଫିସ୍ ଖୋଲି ବସିଛନ୍ତି । ସେମାନେ ଲୋକଙ୍କୁ ଜମି ଦେବାକୁ କହି ଟଙ୍କା ନେଉଛନ୍ତି । ଏକାଧିକ ଲୋକଙ୍କ ଠାରୁ ଜମି ନେବା ପରେ ସେମାନେ ରାତାରାତି ଅଫିସ୍ ବନ୍ଦ କରି ଚମ୍ପଟ ମାରୁଛନ୍ତି । ଯାହାଫଳରେ ସାଧାରଣ ଲୋକେ ଜମି କିଣିବା ଆଶାରେ ତାର ଝାଲବୁଝା ଧନ ପାଣିରେ ପଡୁଛି ।
ରାଜ୍ୟ ବାହାରେ ରହୁଥିବା ମାଲିକଙ୍କୁ ପ୍ରାୟତ ଟାର୍ଗେଟ -
ଦଲାଲ ଜମି ମାଲିକଙ୍କ ବିଷୟରେ ସବୁ କିଛି ତଥ୍ୟ ସଂଗ୍ରହ କରିବା ପରେ ମୋହରିୟଙ୍କ ସହ କଥା ହୋଇଥାନ୍ତି । ଉକ୍ତ ଜମିର ମାଲିକଙ୍କ ନାମରେ ନକଲି ଆଧାର ନମ୍ବର କାଢି ସେଥିରେ ଅନ୍ୟ ମହିଳାଙ୍କ ଫଟୋ ଲଗାଇ ଦିଅନ୍ତି । ଭଡ଼ାରେ ନକଲି ମାଲିକଙ୍କ ଠିକ୍ କରାଯାଇଥାଏ । ଉକ୍ତ ଭଡ଼ାଟିଆ ମାଲିକ ସବ୍ରେଜିଷ୍ଟାର ଅଫିସ୍ରେ ପହଞ୍ଚିବା ପରେ ସେ ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିବା ରେଜିଷ୍ଟାରଙ୍କ ଆଗରେ କହିଥାନ୍ତି । ରାତାରାତି ଏହାକୁ ଅନ୍ୟ ନାମରେ ବିକ୍ରି କରି ପଟା କରି ନିଅନ୍ତି ।
ରାକେଟ୍ର ସଦସ୍ୟ କ୍ୟାସ୍ରେ ଟଙ୍କା କାରବାର କରନ୍ତି -
ଠକମାନେ ଅନ୍ୟର ଜମି ବିକ୍ରି କରିବା ପରେ ସେମାନେ ଚେକ୍ କିମ୍ବା ଆକାଉଣ୍ଟ ମାଧ୍ୟମରେ ଟଙ୍କା ନେଇ ନଥାନ୍ତି । ସେମାନେ ଜମି କିଣୁଥିବା ବ୍ୟକ୍ତିଙ୍କ ଠାରୁ କ୍ୟାସ୍ ଆକାରରେ ଟଙ୍କା ନେଇଥାନ୍ତି । ପରେ ଏହି ଟଙ୍କାକୁ ରାକେଟର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ନେଇଥାନ୍ତି । ଏହା ସହ ରାଜଧାନୀର ବିଭିନ୍ନ ଥାନାର ଆଇଆଇସି ଓ ଅଫିସରଙ୍କୁ ହାତଗୁଞ୍ଜା ଦେଇ ନିରିହଙ୍କୁ ପାଣି ପିଆଇଥାନ୍ତି ।