ଚାପଗ୍ରସ୍ତ ଜୀବନର ପରିଣତି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ ଚାପଗ୍ରସ୍ତ ଜୀବନର ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନରେ ସବୁଠାରୁ ବଡ କଥା ହେଉଛି ନିଜକୁ ଖୁସିରେ ରଖିବା । ଖୁସିରେ ରହିବାକୁ କିଏ ବା ଚାହେଁନି ? ଜୀବନରେ ଆମେ ଯାହା ବି କରୁଛେ ସେସବୁର ଉଦେ୍ଦଶ୍ୟ ହଉଚି ଖୁସି ଟିକିଏ ପାଇବା, ଆନନ୍ଦ ପାଇବା ।
କିନ୍ତୁ ଖୁସି ଆଜି ଅନେକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ଆମ ମୁହଁରେ ହସ ଟିକିଏ ନାହିଁ, ସୁଖ ନାହିଁ । ଆମେ ଯେଉଁ ହସ ହସୁଛେ ସେତକ ବି ଖାଦ ମିଶା । ବାଧ୍ୟବାଧକତାରେ ହସିବାକୁ ପଡୁଛି ବୋଲି ହସୁଛେ । ଅନେକ ସମୟରେ ଇଚ୍ଛା ନଥାଇ ହସୁଛେ । କହିବାକୁ ଗଲେ ଆଜି ଆମ ଜୀବନରୁ ଖୁସି ବୋଲି ଚିଜଟା ଉଭେଇ ଯାଇଛି, କୁଆଡେ ହଜିଯାଇଛି, ଯେତେ ଦରାଣ୍ଡିଲେ ବି ମିଳୁନାହିଁ ।
ଆଜ୍ଞା, ଖୁୁସି କେଉଁଠି ଖୋଜିଲେ ମିଳେ ନାହିଁ । ଖୁସି ତ କିଣା ଜିନିଷ ନାଇଁ ଯେ କୋଉଠୁ କିଣି ଦେଇ ଆମେ ଧରି ପଳେଇ ଆସିବା । ଖୁସି ହେଉଛି ଅନ୍ତରର ଅଭିବ୍ୟକ୍ତି । ଖୁସି ଯଦି ଅନ୍ତରରେ ନଥିବ ତେବେ ତାହା ବାହାରକୁ ଉକୁଟିବ କିମିତି ଏଥିପାଇଁ ଖୁସି ବାଣ୍ଟିବାକୁ ପଡିଥାଏ । ଅନ୍ୟକୁ ଖୁସି ଦେଇପାରିଲେ ସେଇଥିରୁ ମିଳିଥାଏ ପରମ ତୃପ୍ତି । ଏହି ତୃପ୍ତି ହିଁ ଜୀବନରେ ଭରିଦିଏ ଅଫୁରନ୍ତ ଆନନ୍ଦ । ତୃପ୍ତି ହିଁ ଖୁସିର କାରଣ । ତୃପ୍ତି ଥିଲେ ଜୀବନ ଜୀବନ୍ତ ହୋଇ ଉଠେ । କିନ୍ତୁ ତୃପ୍ତି ଥିଲେ ସିନା !
ଯନ୍ତ୍ର ଦୁନିଆ ଭିତରେ ଆମେ ପ୍ରାୟତଃ ଚାପଗ୍ରସ୍ତ ହୋଇ ଯାଇଛେ । ଆମ ଧାଇଁବାର ଅନ୍ତ ନାହିଁ କି ଆମ ଚାପର ଶେଷ ନାହିଁ । ଆମେ ନକଲି ହସ ହସୁଛେ, ‘ଓଃ...ବେଶ୍ ଖୁସିରେ ଅଛୁ’ ବୋଲି ଦେଖେଇ ହଉଛେ । କିନ୍ତୁ ବିଶ୍ୱାସ କରନ୍ତୁ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ଚାପଗ୍ରସ୍ତ ମଣିଷକୁ ଆଜି ହସେଇବା ପାଇଁ ମାଳ ମାଳ ଟିଭି ସୋ, ହସ କ୍ଲବ୍?, ଆହୁରି କେତେ କଣ ? ଏସବୁ କ୍ଷଣକର ଖୁସି । ଆଉଥରେ ରାତି ପାହିଲେ ଯୋଉଟାକୁ ସେଇଟା । ସେଇ କାମ, ସେଇ ଜଞ୍ଜାଳ, ସେଇ ଚିନ୍ତା, ସେଇ ମୂଷା ଦଉଡ । ଯାହାର ଶେଷ ପରିଣତି ବୁଝିଲା ବେଳକୁ ମଣିଷ ହାତରେ ଆଉ କିଛି ନଥାଏ । ଏକଥା ସତ କି ମିଛ ଆପଣ ନିଜେ ନିରୋଳାରେ ବସିକି ଟିକେ ଭାବନ୍ତୁ ।
ଆମର ଗତି କୁଆଡେ ? ଉଭୟ ଜାଣତରେ ଏବଂ ଅଜାଣତରେ ଆମେ ଜୀଇଁ ଥାଉ ଥାଉ ଦରମରା ଅବସ୍ଥାରେ ହିଁ ବଞ୍ଚିଛେ, କଲବଲ ହେଇକି ଜୀଇଁଛେ । ତୁଣ୍ଡରେ ନ କହିଲେ ମଧ୍ୟ ମନକୁ ଏକଥା ପଚାରି ଶୁଣନ୍ତୁ । ଅନ୍ତରର ଡାକ ଆମକୁ ନିହାତି ସତ କହିବ ବୋଲି ଦୃଢ ବିଶ୍ୱାସ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।