ଚୋରା କୋଇଲା ଚାଲାଣ ବନ୍ଦ ଦାବି
ରାଜକନିକା : ଚୋରା କୋଇଲା ଚାଲାଣକୁ ବିରୋଧ କରି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ଉଦେ୍ଦଶ୍ୟରେ ଏକ ଲିଖିତ ଅଭିଯୋଗ ରାଜକନିକା ଥାନାଧିକାରୀଙ୍କୁ ଦେଇଛନ୍ତି । ପ୍ରକାଶଥାଉ କି, ପଡୋଶୀ ଭଦ୍ରକ ଜିଲ୍ଲାର ଚୋରା କୋଇଲା ଗାଡି ଏବଂ ସ୍ଥାନୀୟ ରାଜକନିକା ଅଞ୍ଚଳର କିଛି ଯୁବକଙ୍କ ଭିତରେ ଏକ ଶୀତଳ ଯୁଦ୍ଧ ପରିବେଶକୁ ଅଶାନ୍ତ କରି ରଖିଛି ଯାହା ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଚାନ୍ଦବାଲିର କୋଇଲା ମାଫିଆମାନେ ସ୍ଥାନୀୟ ରାଜକନିକା ଅଂଚଳର କିଛି ଅସାମାଜିକ ଯୁବକଙ୍କୁ ବଟି ଦେଇ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ କୋଇଲା ଗାଡି ରାଜକନିକା ଦେଇ ଯାଇଥିବା ରାଜ୍ୟ ରାଜପଥ ପାର କରାଉଛନ୍ତି । ରାତ୍ରୀ ସମୟରେ ଏହି ଗାଡି ଗୁଡିକ ଅତି ତୀବ୍ର ଗତିରେ ଯାଉଥିବାର ଦେଖିବାକୁ ମିଳିଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି । କେତେବେଳେ ଏହା ଭୟଙ୍କର ରୂପ ଧାରଣ କରି ଧନଜୀବନ ହାନୀ ନ କରାଇବ ତାହା ଏଡାଇ ଦିଆ ଯାଇନପାରେ । ନିକଟରେ ପଡୋଶୀ ଜିଲ୍ଲା ଭଦ୍ରକରେ ଏହି ଚୋରା କୋଇଲା କାରବାରକୁ ନେଇ ଉତ୍ତେଜନା ବଢିଥିଲା, ଶେଷରେ ହତ୍ୟା ପରି ଜଘନ୍ୟ କାଣ୍ଡ ଏହାର ପରିଣତ ହୋଇଥିଲା । ତାହା ଆମ ରାଜକନିକା ପରି ଶାନ୍ତ ପରିବେଶରେ ନ ଘଟୁ ଏଥିପାଇଁ ସମାଜସେବୀ ଜିତା ଦାସଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ତଥା ଆଇନୀଜୀବି ମୁରଲୀଧର ବଳ, ସ୍ମୃତିଭୂଷଣ ବିଜୟଦେବ ବିଶ୍ୱାଳ, ପିତାମ୍ବର ରାଉତ, ସତ୍ୟରଞ୍ଜନ ନାୟକ, ଅଶ୍ୱିନୀ ବାରିକଙ୍କ ପ୍ରମୁଖ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି ।