ତାଳଚୁଆ ସାମୁଦ୍ରିକ ଥାନାରେ ଡ୍ରୋନ ; ଅନୁପ୍ରବେଶ ଓ ଅପରାଧିକ କାର୍ଯ୍ୟକୁ ନଜର ରଖିବ
ରାଜନଗର : ଜାମ୍ମୁ-କାଶ୍ମିରୀର ପହଲଗାମ ଆତଙ୍କୀ ଆକ୍ରମଣ ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରୀ ହୋଇଛି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ପରେ ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ସାମୁଦ୍ରିକ ଥାନାକୁ ଡ୍ରୋନ(କ୍ୟାମେରା) ଯୋଗାଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବଙ୍ଗୋପସାଗର କୂଳରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ସୀମାରେ ରହିଛି ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟି ଜଳପଥରେ ଅନୁପ୍ରବେଶର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଉଥିଲା । ଏବେ ସରକାରଙ୍କ ପକ୍ଷରୁ ଜଳପଥରେ ଅନୁପ୍ରବେଶ ଓ ବଙ୍ଗୋଭାଷୀ ଅଧୁଷିତ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ଡ୍ରୋନ(କ୍ୟାମେରା) ଯୋଗାଇ ଦିଆଯାଇଥିବା ନେଇ ଆଇଆଇସି ବିମଳକୁମାର ମଲ୍ଲିକ ସୂଚନା ଦେଇଛନ୍ତି ।