ଚୋରି ସାମଗ୍ରୀ ଜବତ; ୨ କୋର୍ଟ ଚାଲାଣ

 ଯାଜପୁର ଟାଉନ:  ଯାଜପୁର ଟାଉନ ଥାନା ପୁଲିସ ଚୋରି ଅଭିଯୋଗରେ ୨ଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରି କରିଥିବା ସାମଗ୍ରୀକୁ ଜବତ କରିଛି । ସୂଚନା ମୁତାବକ ଗତ ୩୦ତାରିଖ ମଧ୍ୟ ରାତିରେ ଲଳିତେଶ୍ୱର ନଗରର ନାରାୟଣ ଚନ୍ଦ୍ର ସାହୁଙ୍କ ଘରୁ ଦୁଇଜଣ ଚୋର ତାଙ୍କ ଘରର ଝରକା ଭାଙ୍ଗି ସୁନା ଚେନ ଓ ମୋବାଇଲ ଫୋନ ଚୋରି କରି ନେଇଯାଇଥିଲେ । ସକାଳେ ନାରାୟଣ ଚନ୍ଦ୍ର ସାହୁ ଉଠି ଦେଖନ୍ତି ତ ତାଙ୍କର ଫୋନ ନାହିଁ ଓ ଝରକା ମଧ୍ୟ ଭଙ୍ଗାଯାଇଛି । ସେ ତୁରନ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ଦୁଇଜଣ ଚୋର ତାଙ୍କ ଘରର ଝରକା ଭାଙ୍ଗି ସୁନା ଚେନ୍ ଓ ଦୁଇଟି ମୋବାଇଲ ଫୋନ ନେଇଯାଇଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତିକରି ଟାଉନ ପୁଲିସ ଥାନାରେ ଚୋରି ସମ୍ପର୍କରେ ଏକ ମାମଲା ରୁଜୁ କରିିବା ସହ ଯାଜପୁର ଥାନା କେଶ ନଂ. ୪୦୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଯାଜପୁର ସଦର ଥାନା ସାହାସପୁର ଏରବାଙ୍କ ଗ୍ରାମର  ନନା ଦାସଙ୍କ ପୁଅ ବିଜ୍ଞ ଦାସ(୩୨) ଓ ଟାଉନ ଥାନା ଶିତଳେଶ୍ୱର ଗ୍ରାମର କୁଳମଣି ଦାସଙ୍କ ପୁଅ ରାଜେଶ ଦାସ(୨୩)ଙ୍କ ଠାରୁ ୪ଟି ମୋବାଇଲ ଫୋନ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି ଟାଉନ ଥାନାରେ ଆଣି ପଚରାଉଚରା କରିବା ପରେ ଶନିବାର ଦିନ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିଲେ । ଘଟଣାର ତଦନ୍ତ କରୁଥିବା ସମୟରେ ଉପରୋକ୍ତ ଚୋରମାନଙ୍କ ଠାରୁ ୨ଟି ମୋବାଇଲ୍ ସାହାସପୁର ଏରବାଙ୍କ ଗ୍ରାମର ଦୀପକ ଦାସ (୨୩)କିଣିଥିବାରୁ ତାଙ୍କୁ ଚୋରୀ ଜିନିଷ କିଣିବା ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।