ଛଟେଇ ପ୍ରତିବାଦରେ ଶ୍ରମିକଙ୍କ ଧାରଣା
ପାରାଦୀପ : ପାରାଦୀପ ଫସଫେଟ୍ସ ଲିମିଟେଡ଼ (ପିପିଏଲ) ରେ ୮ ବର୍ଷରୁ ଅଧିକ ସମୟ ଧରି କେମିକାଲ ବିଭାଗରେ କାମ କରୁଥିବା ୧୯ ଜଣ ସ୍ଥାନୀୟ ଶ୍ରମିକଙ୍କୁ ତିନିମାସ ହେବ ବିନା କାରଣରେ କାର୍ଯ୍ୟରୁ ଅନ୍ତର କରାଯାଇଛି । ଶ୍ରମିକମାନେ ବାରମ୍ବାର ପିପିଏଲ କର୍ତ୍ତୃପକ୍ଷ ଓ ପାରାଦୀପସ୍ଥିତ ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ)ଙ୍କୁ ଗୁହାରି କଲାପରେ ବି ଆଜି କାଲି କହି ଉଭୟ ସମୟ ଗଡାଇ ଚାଲିଛନ୍ତି । ଏହି ଶ୍ରମିକମାନେ ମାସିକ ୧୦ ରୁ ୧୨ ହଜାର ପାଉଥିବା ଟଙ୍କାରେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେଉଥିଲେ ହେଁ ସେମାନେ ଦୀର୍ଘ ବର୍ଷ ହେବ ସେହି ସ୍ୱଳ୍ପ ବେତନରେ କାମ କରିଆସୁଥିଲେ । ଶ୍ରମିକଙ୍କ କହିବା ଅନୁଯାୟୀ ସେମାନେ ପିପିଏଲର ଏହି କାର୍ଯ୍ୟକୁ "ଶୁଭମ ଏଣ୍ଟରପ୍ରାଇଜେସ’ ଅଧିନରେ କାର୍ଯ୍ୟ କରିଆସୁଥିଲେ । ତେବେ ଗତ ତିନିମାସ ତଳେ ପିପିଏଲ କର୍ତୃପକ୍ଷ ଶୁଭମ ଏଣ୍ଟରପ୍ରାଇଜେସକୁ ହଟାଇ ଦେଇଛନ୍ତି । ନିୟମ ଅନୁଯାୟୀ ତା ବଦଳରେ ଆଉ ଏକ ନୂଆ କଣ୍ଟ୍ରାକ୍ଟର ଅଧିନରେ ଏହି ଶ୍ରମିକଙ୍କୁ କାମରେ ଲଗାଇବା କଥା । କିନ୍ତୁ ପିପିଏଲ କର୍ତ୍ତୃପକ୍ଷ ନୂଆ କଣ୍ଟ୍ରାକ୍ଟର ନିଯୁକ୍ତି ନ କରି ନୂତନ ଶ୍ରମିକଙ୍କୁ ଆଣି ସେହି କାମ କରି ଚାଲିଛନ୍ତି । ଯାହାର ପ୍ରତିବାଦରେ ଶ୍ରମିକମାନେ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲା ପରେ ବାଧ୍ୟ ହୋଇ ପାରାଦୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି ।