ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନରସିଂହପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୪ ଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ଅଙ୍କୁରରୋପଣ, ମଣ୍ଡଳ ପ୍ରସ୍ତୁତି କରାଯାଇଥିଲା । ଦ୍ୱିତୀୟ ଦିନରେ କଳସ ଯାତ୍ରା, ସୌରାଗ୍ନି ଆନୟନ, ମଣ୍ଡପସ୍ଥ ଦେବାଦେବୀଙ୍କ ପୂଜା, କାରୁଶାଳା କର୍ମ ଆଦି ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ଶ୍ରୀମାନ୍ ବାବାଜୀ ଅମୃତାନନ୍ଦ ଦାସ ମହାରାଜଙ୍କ ଦିବ୍ୟ କଥାମୃତ ପ୍ରବଚନ ପ୍ରଦାନ କରିଥିଲେ । । ସେହିପରି ତୃତୀୟ ଦିନରେ ମଙ୍ଗଳ ଆଳତୀ, ବିଗ୍ରହ ଓ ମନ୍ଦିର ସ୍ନାନ, ଜୀବନ୍ୟାସ ଓ ପ୍ରାଣପ୍ରତିଷ୍ଠା, ମଣ୍ଡପସ୍ଥ ଦେବତାଙ୍କ ପୂଜା ସହ ଯଜ୍ଞ ଓ ସଂକୀର୍ତ୍ତନରେ ପରିବେଶ ଉତ୍ସବମୁଖର ହୋଇ ପଡ଼ିଥିଲା । ଏହି ଉତ୍ସବର ଉଦ୍ୟାପନୀ ଦିବସରେ ସହସ୍ର ଆହୂତି, ଦେବତା ସ୍ଥାପନ ଓ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଅବସରରେ ଉଦ୍ୟାପନୀ ସନ୍ଧ୍ୟାରେ ୧୦୧ ସାଧୁସନ୍ଥଙ୍କ ଦ୍ୱାରା ବିଶାଳ ସନ୍ଥ ସମ୍ମିଳନୀ ଓ ଆହୁତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଧର୍ମାନୁଷ୍ଠାନରେ ପ୍ରତ୍ୟେହ ହଜାର ହଜାର ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସାମିଲ ହୋଇ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ ।