ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ : ଗିରଫ ଦାବିରେ ଧାରଣାରେ ବସିଲେ ଛାତ୍ରୀ-ଅଭିଭାବକ

କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ନୋଡାଲ ସ୍କୁଲର ଜନୈକା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଗଣ ଶିକ୍ଷକ ଅରୁଣ କୁମାର ମଲ୍ଲ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ସକାଳ ୯ଘଟିକା ସମୟରୁ ଅଦ୍ୟାବଧି ଧାରଣା ଜାରିରହିଛି । ସୂଚନା ମୁତାବକ ଏହି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତିଦିନ ଭଳି ଗତମାସ ୨୭ତାରିଖରେ ସ୍କୁଲକୁ ଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ମଲ୍ଲ ଅସଦାଚରଣ କରିଥିଲେ । ଏନେଇ ନାବାଳିକା ଜଣଙ୍କ ଘରକୁ ଫେରି ପରିବାରକୁ ଜଣାଇବା ପରେ ତାଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଶିକ୍ଷକଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ଯେ ପର୍ଯ୍ୟନ୍ତ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ ସହ ବହିଷ୍କାର କରା ଯାଇଛି ସେ ପର୍ଯ୍ୟନ୍ତ ଆନେ୍ଦାଳନ ବଳବତ ରହିବ ବୋଲି ଆନେ୍ଦାଳନ କାରୀ କହିଛନ୍ତି । ଘଟଣା ସ୍ଥଳରେ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଭବେଶ ମାଝୀ, ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା,ଏସ୍ଆଇ ସୌମ୍ୟରଞ୍ଜନ ଭୋଳ, ଏସ୍ଆଇ ଶଶୀଭୁଷଣ ପରିଡା,ଏସ୍ଆଇ ରଞ୍ଜନ ବେହେରା, ନେଉଳପୁର ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ଜେନା, ରେଖିଦେଇପୁରପୁର ରାଜସ୍ୱ ନିରୀକ୍ଷକ ମଧୁସୂଦନ ହାଇବ୍ରୁ ପ୍ରମୂଖ ଘଟଣା ସ୍ଥଳରେ ପହଁଚି ଧାରଣାକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଧାରଣାରେ ଖବର ଲେଖା ହେବା ପର୍ଯ୍ୟନ୍ତ ଚାଲିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ମଣ୍ଡଳ ଶିକ୍ଷାଧିକାରୀ ଅନୁପସ୍ଥିତକୁ ନେଇ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି ।