ଛାତ୍ର କଂଗ୍ରେସ ପକ୍ଷରୁ ପରିବହନ କାର୍ଯ୍ୟାଳୟ ଘେରାଉ

 ଜଗତସିଂହପୁର : ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ଡକରାରେ ରାଜ୍ୟ ବ୍ୟାପି ସମସ୍ତ ଜିଲ୍ଲାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରିବହନ ବ୍ୟବସ୍ଥାକୁ ମାଗଣା କରାଯିବା ନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଛି  । ଏହିକ୍ରମରେ ଜଗତସିଂହପୁର ଜିଲ୍ଲାରେ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାଇ ପ୍ରଭଞ୍ଜନ ମହାପାତ୍ର ଓ ଉପ ସଭାପତି ସୁଶୀଲ କୁମାର ଦାଶଙ୍କ ତତ୍ତ୍ୱାବଧନାରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଏବଂ ଦୁଇ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀଙ୍କ ମାଧ୍ୟମରେ ପ୍ରେରଣ କରାଯାଇଥିଲା  । ଅନେକ ଛାତ୍ର, ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର, ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ତେଣୁ ସରକାର ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଓ ଘରୋଇ ପରିବହନ ସେବାରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ଭଡ଼ା ରିହାତିକୁ ବାଧ୍ୟତାମୂଳକ କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି ଉପସ୍ଥାପନା କରିଛି । କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ୟ ସଞ୍ଜୀବ ଦାସ, ଅଜୟ କୁମାର ସ୍ୱାଇଁ, ରାକେଶ ସ୍ୱାଇଁ, ପ୍ରତୁ୍ୟଷ ନାୟକ, ସୁବୋଧ ନାରାୟଣ ସାହୁ, ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇଥିଲେ ।