ଜଗତସିଂହପୁର ଜିଲ୍ଲା ମହୋତ୍ସବରେ ମୁଖ୍ୟମନ୍ତ୍ରୀ 

 ଭୁବନେଶ୍ୱର/ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ  ଉଦ୍ୟମ ଜାରି ରହିଛି । ଜଗତସିଂହପୁରର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା  । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଜଗତସିଂପୁର ଜିଲ୍ଲାରେ ବହୁତ ଶୀଘ୍ର ସ୍ଥାପିତ ହେବାକୁ ଯାଉଛି ମେଡିକାଲ କଲେଜ, ଯାହା ଫଳରେ ଭବିଷ୍ୟତରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୃଦ୍ଧି ଘଟିବା ସହିତ ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏକ ସରକାରୀ କଲେଜ ପ୍ରତିଷ୍ଠା ହେବ ଏବଂ ଓଡିଶାର ଅନ୍ୟତମ ଶିଳ୍ପ ସମୃଦ୍ଧ ଅଞ୍ଚଳ ପାରାଦୀପ ହେବ ଆମ ରାଜ୍ୟର ବିକାଶ ମୁକୁଟର ମଣି ସଦୃଶ । ଜଗତସିଂହପୁର ଜିଲ୍ଲା ପାଇଁ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବଜେଟ ରାଜ୍ୟ ସରକାର ମଂଜୁର କରିଛନ୍ତି । ଯାହା ଏହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ ହେବ । ଆଧୁନୀକିକରଣ ଓ ଶିଳ୍ପ ବିକାଶର ଅକ୍ଷ ପାଲଟିବ ଓଡିଶାର ସର୍ବୋପୁରାତନ ପାରାଦୀପ ବନ୍ଦର । ଜଗତସିଂହପୁର ଜିଲ୍ଲା ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା ।  ରୋଜଗାର ବୃଦ୍ଧି ହେଲେ ହିଁ ଏକ ଅଂଚଳର ବିକାଶ ହୁଏ । ଏଣୁ ଆମ ସରକାର ନିଷ୍ପତ୍ତି ନେଇଛି ଯେ ଜଗତସିଂହପୁରରେ ଏକ ଟେକ୍ସଟାଇଲ୍ ପ୍ରଡକ୍ସନ ୟୁନିଟ୍ ପ୍ରତିଷ୍ଠା ହେବ ଯାହା ଏହି ଅଂଚଳର ପାଖାପାଖି ୨୦ ହଜାର ଜନସାଧାରଣଙ୍କୁ ନିଯୁକ୍ତି ଦେବ ।
ଓଡିଆ ଅସ୍ମିତାକୁ ଆଉ ପାଦେ ଆଗକୁ ନେଇ ଆମେ ବର୍ତ୍ତମାନ ପାଳନ କରୁଛୁ ‘ ଓଡିଆ ପକ୍ଷ’ । ୧୪ ଦିନ ବ୍ୟାପୀ ଏହି ଉତ୍ସବରେ ଓଡିÿଆ ଭାଷା, ସାହିତ୍ୟ, ସଂସ୍କୃତି, ବେଶଭୁଷା, ଖାଦ୍ୟପେୟକୁ ସମ୍ମାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, କଳା ଓ ସଂସ୍କୃତିର ମାଟି ଜଗତସିଂହପୁର ହେବ ଭାରତବର୍ଷର ସବୁଠାରୁ ଉକ୍ରର୍ଷ ଜିଲ୍ଲା ଯାହା ଆମ ସରକାରର ବିକାଶର ଧାରାକୁ ତ୍ୱରାନ୍ୱିତ କରିବ । ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଶିଳ୍ପର ବିକାଶରେ ଜଗତସିଂହପୁର ଜିଲ୍ଲାର ବିକାଶ ହେବ ଏବଂ ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ୱପ୍ନକୁ ସାକାର କରିବ । କାର୍ଯ୍ୟକ୍ରମରେ ଜଗତସଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ପୌର ପରିଷଦ, ଜଗତସିଂହପୁର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଓ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପ୍ରତୀଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲାପାଳ ଜେ. ସୋନଲ ଧନ୍ୟବାଦ ଅର୍ପଣ କରିଥିଲେ ।