ଜଗନ୍ନାଥଙ୍କ ସମ୍ପତ୍ତି ଜବରଦଖଲ ଅଭିଯୋଗ
କୋଣାର୍କ : କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ନୂଆଗାଁ ମୌଜାରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ଜବରଦଖଲ କରି ବେଆଇନ ଭାବେ ଗୃହ ନିର୍ମାଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ନାଗରିକ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । ଖବରରୁ ପ୍ରକାଶ ଯେ, କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅର୍ନ୍ତଗତ ସିମିଳି ଗ୍ରାମପଞ୍ଚାୟତର ନୂଆଗାଁ ମୌଜାରେ ଖାତାନଂ ୨୪୯/୧୨ ପ୍ଲଟନଂ-୭୯୭ ରେ ୪୮ ଡିସିମିଲି ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି । ଉକ୍ତ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ବେଆଇନ ଭାବେ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଏହି ଜମି ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ସମ୍ପତ୍ତିକୁ ଜଣେ ବ୍ୟକ୍ତି କେଉଁ ନିୟମ ଅଧାରରେ ଜବରଦଖଲ କରି ବେଆଇନ ଗୃହ ନିର୍ମାଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ନୂଆଗାଁ ଠାରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲ କରି ବେଆଇନ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ଗୋପ ତହସିଲଦାର ଦୃଷ୍ଟି ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।