ଜଙ୍ଗଲ ଜମିରେ ଗୃହ ନିର୍ମାଣ : ତହସିଲ ନାକ ତଳେ ଜବରଦଖଲ
ଦାନଗଦୀ : ସରକାରୀ ଜମିର ସୁରକ୍ଷା କରିବା କଥା । କିନ୍ତୁ ସୁରକ୍ଷା କରିବେ କ’ଣ ଓଲଟି ଜବରଦଖଲକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି । ନାଁ ଜଙ୍ଗଲ ବିଭାଗ ପାଟି ଫିଟାଉଛି ନାଁ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି । ଯାହା ଫଳରେ ଦାନଗଦୀ ତହସିଲ ଇଲାକାରେ ପ୍ରତିଦିନ ଏକର ଏକର ସରକାରୀ ଜମି ଦଖଲ କରାଯାଇ ଗୃହ ନିର୍ମାଣ କରାଯାଉଛି । ଦାନଗଦୀ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ବଢି ଚାଲିଛି ।
ପ୍ରତ୍ୟେକ ଦିନ ଏଠି ଜବଦଦଖଲ ପରେ ସରକରୀ ଜମିରେ ଗୃହ ନିର୍ମାଣ କରାଯାଉଛି । ହେଲେ ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସୁନି । ତ୍ରିଜଙ୍ଗା ପଂଚାୟତର ଦାନଗଦୀ ଗାଁ ଭିତରେ ଦୁଇଜଣ ଠିକାଦାର ଲକ୍ଷାଧିକ ଟଙ୍କାରେ ରକ୍ଷିତ ଜାଗା(ଜଙ୍ଗଲଜମି)ଯାହାର ଖାତା ନମ୍ବର୫୦୧ପ୍ଲଟ ନମ୍ବର ୫୫୦ରେ ୦.୩୧୦ ଏକରୁ ଉର୍ଦ୍ଧ ଜାଗା ବେଆଇନ ଦଖଲ କରି ମେସିନ ଲଗାଇ ଜାଗାକୁ ସମତଳ କରି ଗୃହ ନିର୍ମାଣରେ ଲାଗିପଡ଼ିଛନ୍ତି । ସ୍ଥାନୀୟ ବାହୁବଳୀ ନେତାଙ୍କ ଛତ୍ରଛାୟା ତଳେ ରହି ଠିକାଦାର ନିର୍ଭୟରେ ସରକାରୀ ଜମି ଦଖଲ କରୁଛନ୍ତି । ତହସିଲ ଅଫିସ ପାଖରେ ଏପରି ଜବର ଦଖଲ ବୃଦ୍ଧି ପାଉଥିବା ବେଳେ ତହସିଲଦାର ନୀରବ ରହିବାର କାରଣ କଣ କିଛି ବୁଝାପଡୁନାହିଁ । ପ୍ରଶାସନ ଦୃଷ୍ଟିକୁ ଲୋକମାନେ ଆଣୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସବୁଆଡେ ସରକାରୀ ଜମିକୁ ଜବର ଦଖଲ କରି ବାହାର ଲୋକ ମାନେ ବେଇଆନ ନିର୍ମାଣ କରିଚାଲିଛନ୍ତି । ଆଲୋଚନା ହେଉଛି ପ୍ରଶାସନ ସବୁ ଜାଣିଶୁଣି ଅର୍ଥ ମାୟାରେ ବାୟା ହୋଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି । ଯଦି ତହସିଲ ନାକନିଶ ତଳେ ଏପରି ପ୍ରଶାସନକୁ ନମାନି ନିର୍ଭୟରେ ଏପରି ସରକାରୀ ଜାଗା ଜବରଦଖଲ ଚାଲେ । ତାହେଲେ ଏଥିରେ ପ୍ରଶାସନ ପରୋକ୍ଷରେ ସମ୍ପୃକ୍ତ ବୋଲି ଆଲୋଚନା ହେଉଛି । ଏଜାଗାକୁ ଚିହ୍ନଟ କରି ଜବର ଦଖଲମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।