ଏଜେଣ୍ଟ ନିଯୁକ୍ତି ନେଇ ବୈଠକ

ଯାଜପୁର ଟାଉନ:  ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦଳ ଦ୍ୱାରା ପ୍ରତି ବୁଥରେ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଶୁକ୍ରବାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ରିଟର୍ନିଙ୍ଗ ଅଫିସର ତଥା ଅତିରକ୍ତ ଜିଲାପାଳ, ରାଜସ୍ୱଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସ୍ୱଚ୍ଛତା ପାଇଁ ନିର୍ଭୁଲ ଭୋଟର ତାଲିକାର ଭୂମିକା ବିଷୟରେ ଅତିରିକ୍ତ ଜିଲାପାଳ ଆଲୋକପାତ କରିଥିଲେ । ଜିଲାର ପ୍ରତି ବୁଥରେ ରାଜନୈତିକ ଦଳଙ୍କ ଦ୍ୱାରା ବିଏଲଏ ନିଯୁକ୍ତି କରିବା ପ୍ରକ୍ରିୟା ନେଇ ଫର୍ମ ୧ ଓ ଫର୍ମ ୨ବିଷୟରେ ଅତିରିକ୍ତ ଜିଲାପାଳ ବୁଝାଇଥିଲେ । ଭୋଟର ତାଲିକାରେ ଯୋଗ, ବିୟୋଗ, ସଂଶୋଧନ, ସ୍ଥାନାନ୍ତର ଆଦି ପାଇଁ ବିଏଲଏ ବିଏଲଓଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ରାଜନୈତିକ ଦଳର କର୍ମକର୍ତାଙ୍କୁ ବୁଝାଇ ଦିଆଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜକ ଡେପୁଟି କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ଦିପ୍ତିମୟୀ ବେହେରା ବୈଠକର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରି ଉପସ୍ଥିତ ସମସ୍ତ ଦଳୀୟ କର୍ମକର୍ତାମାନଙ୍କୁ ନିର୍ଦ୍ଧାରିତ ଫର୍ମ ଯୋଗାଇ ଦେଇଥିଲେ । ନିର୍ବାଚନ କମିଶନ ଓ ଭାରତର ଏକକ ପରିଚୟ ପତ୍ର ପ୍ରକରଣ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହମତି କ୍ରମେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରାଯିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ବିଏଲଏ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇ, ଡେପୁଟି କଲେକ୍ଟର, ନିର୍ବାଚନ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ କଂଗ୍ରେସ ତରଫରୁ ଦୁର୍ଯେ୍ୟାଧନ ବେହେରା, ସିପିଆଇ (ଏମ) ତରଫରୁ ନିମାଇଁ ରଥ ଓ ବିଏସପି ତରଫରୁ ଅକ୍ଷୟ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।