ନାବାଳିକାକୁ ଅସଦାଚରଣ : ଅଭିଯୁକ୍ତକୁ ୫ ବର୍ଷ କାରାଦଣ୍ଡ
ଯାଜପୁର ଟାଉନ : ଯାଜପୁର ଟାଉନ ବେଲମପୁର ଗ୍ରାମର ଜନୈକା ନାବାଳିକା ଝିଅକୁ ସେହି ଗ୍ରାମର ଜଣେ ଯୁବକ ସନ୍ଧ୍ୟାରେ ଅସଦାଚରଣ କରିଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ବିଚାର କରି ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ରାୟ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଉପରୋକ୍ତ ଗ୍ରାମର ନାବାଳିକା ଘରେ ପିତାମାତା ସମ୍ପର୍କୀୟ ଘରକୁ ଯାଇଥିବା ବେଳେ ୨୦୨୧ମସିହା ଅଗଷ୍ଟ ମାସ ୨୨ତାରିଖ ଦିନ ସନ୍ଧ୍ୟାରେ ନାବାଳିକାକୁ ଏକୁଟିଆ ପାଇ ସେହି ଗ୍ରାମର ଅଭିଯୁକ୍ତ ରମେଶ ବେହେରା(୨୪)ନାବାଳିକାକୁ ଟଣାଓଟରା କରିବା ସହ ଅସଦାଚରଣ କରିଥିଲା । କୌଣସି ପ୍ରକାର ନାବାଳିକା ସେଠାରୁ ଦୌଡ଼ି ଆସି ପଡ଼ିଶା ଘରକୁ ପଳାଇ ନିଜ ବାପାମା ପାଖକୁ ଖବର ଦେଇଥିଲା । ଖବର ପାଇ ନାବାଳିକାର ପିତାମାତା ପହଞ୍ଚô ନାବାଳିକା ଠାରୁ ସମସ୍ତ ଘଟଣା ଅବଗତ କଲା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ. ୩୦୦/୨୧ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଶରତ କୁମାର ଦେହୁରୀ ୫ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଅଭିଯୁକ୍ତ ରମେଶ ବେହେରାକୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଜରିମାନା ଅନାଦେୟ ୬ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଛନ୍ତି । ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରୁଥିଲେ ।