ଜଙ୍ଗଲ ପାଲଟିଛି ଯୋକଡ଼ିଆ-ରୁଢିଆ ହାଇଲେବୁଲ କେନାଲ 


 ଯାଜପୁରରୁ ଶରତ ପଥାଳ : କୃଷି ଓ କୃଷକର ଉନ୍ନତି ଆମର ଦାୟିତ୍ୱ । ଏକଥା କ୍ଷମତାରେ ଥିବା ଦଳ ଏବଂ କ୍ଷମତା ବାହାରେ ଥିବା ରାଜନୈତିକ ଦଳ ନିର୍ବାଚନ ସମୟରେ ବଡ଼ ପାଟିରେ କହିଥାନ୍ତି । ସେ ରାଜ୍ୟ ହେଉ କି କେନ୍ଦ୍ରରେ କ୍ଷମତାକୁ ଆସୁଥିବା ଦଳ କୃଷକଙ୍କ ହିତ ପାଇଁ ଆମ ସରକାର ସମର୍ପିିତ ବୋଲି ସଫେଇ ଦେଇଥାନ୍ତି । ହେଲେ ଯଦି ଆମେ ଦେଖିବା ବର୍ଷ ପରେ ବର୍ଷ ବିତିଯାଉଥିଲେ ବି ହେକ୍ଟର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ପଡ଼ିଥିବା ପଥ ଅବରୋଧ ହୋଇପଡ଼ିଥିଲେ ହେଁ ତାହାକୁ ଖନନ ଓ ମରାମତି କରିବା ଦିଗରେ ଯେଭଳି ତତ୍ପରତା ଦେଖାଯିବା କଥା ତାହା ହୋଇପାରୁନି । ଆମେ କହୁଛୁ ଯୋକଡ଼ିଆ-ରୁଢିଆ ହାଇଲେବୁଲ କେନାଲର କଥା । ବ୍ରିଟିସ ଅମଳର ଯେଉଁ କେନାଲ ମୃତ ଅବସ୍ଥାରେ ନୁହେଁ ପୁରା ଜଙ୍ଗଲ ପାଲଟିଛି । ୧୬୧ ବର୍ଷର କେନାଲକୁ ଉପଯୋଗ କରିବା ପୂର୍ବକ ପୂନରୁଦ୍ଧାର କରିବାର ଏକ ଉଦ୍ୟମ କଂଗ୍ରେସ ସରକାର ଅମଳରେ ହୋଇଥିଲା । ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ୩୯ ବର୍ଷ ତଳେ ଅର୍ଥାତ ୧୯୮୫ ମସିହାରେ କୃଷିର ବିକାଶ ଏବଂ କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ପାଇଁ ମୃତ ଅବସ୍ଥାରେ ପଡ଼ିଥିବା କେନାଲକୁ ଜୀବିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ହେଲେ ଇତିମଧ୍ୟରେ କୋଟି କୋଟି ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତି ଘଟିପାରୁନି । ଜଳ ସଂପଦ ଅଧିନ ଏହି କେନାଲ ପୁନରୁଦ୍ଧାର ପାଇଁ ଗଲା ୬ବର୍ଷ ହେଲା ସର୍ଭେ ଚାଲିଛି । ଆଇଆଇଟି ଗୌହ୍ୱାଟିରୁ ଏକାଧିକ ପ୍ରତିନିଧି କେନାଲ ଲମ୍ବିଥିବା ଯୋକଡ଼ିଆରୁ ରୁଢିଆ ପର୍ଯ୍ୟନ୍ତ ଯାଇ ସର୍ଭେ କରୁଛନ୍ତି । ହେଲେ ସର୍ଭେ ଶେଷ ହେଉନି କି କେନାଲ ପୁନରୁଦ୍ଧାର କାର୍ଯ୍ୟର ରୂପରେଖ ସ୍ପଷ୍ଟ ହୋଇନାରୁନି । ଫଳରେ ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚିତ କରିବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ସାକାର ହେବ କି ନାହିଁ ଚାଷୀଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି । ବ୍ରାହ୍ମଣୀ ଶାଖା ଖରସ୍ରୋତାର ଯୋକଡ଼ିଆ ନିକଟରୁ ବାହାରିଥିବା କେନାଲଟି ରୁଢିଆ ନିକଟରେ ବୈତରଣୀକୁ ସଂଯୋଗ କରିଛି । ବ୍ରିଟିସ ଅମଳର ଏହି କେନାଲ ଏଚ୍ଏଲ୍ସି-୨ ଭାବେ ବିବେଚିତ ହେଉଛି । ୨୦ କିମି ଲମ୍ବ କେନାଲରେ ପ୍ରଭାହିତ ଜଳ ରାଶୀ ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଥିବା ବେଳେ ଗୃହପାଳିତ ପଶୁଙ୍କ ଆବଶ୍ୟକତା ମେଣ୍ଟାଉଥିଲା । ହେଲେ ଦୀର୍ଘ ପାଞ୍ଚଦଶନ୍ଧୀରୁ ଊଦ୍ଧ୍ୱର୍ ହେଲା କେନାଲ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାା ଯୋକଡ଼ିଆ ନିକଟ ସୁଇସ ଗେଟ ଦେଇ ଆସୁଥିବା ଜଳପଥ ଧିରେ ଧିରେ ବନ୍ଦ ହୋଇ ପରେ ମାଟିରେ ମିଶିଗଲା । ବ୍ରିଟିସ ଅମଳର କେନାଲ ଶୁଖିଲା ପଡ଼ିଲା, ଆଉ ଜଙ୍ଗଲ ସୃଷ୍ଟି ହେଲା । ଯାହା ଫଳରେ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହେଲା । ସମୁଦ୍ରକୁ ବହିଯାଉଥିବା ଜଳର ସଦୁପଯୋଗ କରି କୃଷି ଓ ପାନୀୟ ଜଳର ଚାହୀଦା ପୂରଣ ଲକ୍ଷନେଇ୧୯୮୫ମସିହାରେ କଂଗ୍ରେସ ସରକାର ଅମଳରେ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ । ଯୋକଡ଼ିଆ ଠାରେ ଏକ ଆନିକଟ କରାଯାଇ ତାହାକୁ କେନାଲ ସହ ଯୋଡ଼ିଲେ କୋରେଇ, ରସୁଲୁପୁର ଓ ଯାଜପୁରର ହଜାର ହଜାର ହେକ୍ଟର ଚାଷଜମି ମରୁଡ଼ି ଦାଉରୁ ରକ୍ଷା ପାଇଯିବ ଏବଂ ଚାଷୀ ଉପକୃତ ହେବେ ଏଭଳି ଲକ୍ଷ୍ୟ ନେଇ ବ୍ଲ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଜାନକୀ ସରକାର । କାର୍ଯ୍ୟ ଆଗେଇବା ଦିଗରେ ଯାଉଥିବା ବେଳେ କଂଗ୍ରେସ ସରକାର ୧୯୯୦ରେ କ୍ଷମତାରୁ ହଟିଗଲା । ବିଜୁ ବାବୁ ଚାଷଜମିକୁ ପାଣି, ଲୋକଙ୍କ ପାନୀୟ ଜଳ ଓ କଳିଙ୍ଗନଗରରେ ଗଢିଉଠିଥିବା ଶିଳ୍ପକୁ ଜଳ ଯୋଗାଇ ଦେବା ଭଳି ଦିଗକୁ ଲକ୍ଷକରି ଆନିକଟ ନିର୍ମାଣ ପାଇଁ ମନସ୍ତ କରିଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା । ହେଲେ ଦୀର୍ଘ ୨୪ବର୍ଷ ଧରି ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିବା ଭିତରେ କେନାଲ ପୁନରୁଦ୍ଧାର ଏବଂ ଆନିକଟ ନିର୍ମାଣ କେବଳ ସର୍ଭେ ଭିତରେ ଆଗେଇ ପାରିଥିଲା । ଯୋକଡ଼ିଆ ଆନିକଟ କଣ ଏହା କେତେ କୃଷିକ୍ଷେତ ଓ କୃଷକଙ୍କ ହିତରେ ଆସିଥାନ୍ତା, କେଉଁ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୂର କରିଥାନ୍ତା ତାହା ନେଇ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ୧୯୮୫ ମସିହାରେ କଂଗ୍ରେସ ସରକାର ଅମଳରେ ପ୍ରସ୍ତୁତ କରାଯାଇଥିଲା । ବିଭାଗ ସୂତ୍ରରୁ ମିଳିଥିବା ଖବର ମତେ ଉକ୍ତ ପ୍ରକଳ୍ପ ନିମନ୍ତେ ୭୧୨ କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଥିବା ବେଳେ ଗୌହ୍ୱାଟି ଆଇଆଇଟିର ଏକ ଟିମ୍ ଏହାର ସର୍ଭେ ଜାରୀ ରଖିଛନ୍ତି । ସର୍ଭେ ସରିବା ପରେ କାର୍ଯ୍ୟର ରୁପରେଖ ଜଣାପଡ଼ିବ ବୋଲି ବିଭାଗର ଜନୈକ ଯନ୍ତ୍ରୀ କହିଛନ୍ତି । ଯାହା କୁହାଯାଇଛି, ଯୋକଡିଆର ନୂଆ ଏବଂ ପୁରୁଣା ବ୍ରିଜ ମଝିରେ ଏକ ଆନିକଟ କରାଯାଇ ତାହାକୁ କେନାଲ ସହ ଯୋଡ଼ାଯିବ । ସେହି ଠାରୁ ଖରସ୍ରୋତାର ନଦୀ ଜଳ କେନାଲ ଦେଇ ରୁଢିଆ ଯାଏ ପ୍ରବାହିତ ହେବ । ଫଳରେ ଅନୁନ୍ୟ ୧୨ ହେକ୍ଟର ଚାଷଜମିକୁ ସବୁଦିନିଆ ପାଣି ମାଡ଼ିପାରିବ । ଆଉ ଚାଷୀ ବିଭିନ୍ନ ପ୍ରକାରର ଚାଷ କରି ଉପକୃତ ହୋଇପାରିବେ । ହେଲେ ଏହା କାର୍ଯ୍ୟକାରୀତା ନେଇ ସାଧାରଣ ଏବଂ ଚାଷୀଙ୍କ ମନରେ ସନେ୍ଦହ ରହିଛି । ସରକାର ପରେ ସରକାର ବଦଳୁଛନ୍ତି ସିନା କେନାଲର ରୂପରେଖ ବଦଳୁନି । ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଥିବା ଏବଂ ମୋହନ ସରକାର ବସିଥିବାରୁ ତାଙ୍କ ସୁ-ନଜର ପଡ଼ିଲେ ବ୍ରିଟିସ ଅମଳର କେନାଲ ଚାଷୀଙ୍କ ପାଇଁ ସଂଜୀବନି ହୋଇପାରନ୍ତା ।