ଜଧାନୀରେ ମଦମୃତୁ୍ୟ : ବିଷାକ୍ତ ମଦ ପିଇ ୨ ମୃତ

 ଭୁବନେଶ୍ୱର: ରାଜଧାନୀରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତୁ୍ୟ ଘଟିଛି  । ମୃତ ୨ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବିଶ୍ୱଜିତ୍ ବେଉରା ଓ ଆପେୟା ନାୟର । ଏହି ଘଟଣା ଜଣାପଡ଼ିବା ପରେ କଟକ ରୋଡ ନିକଟ ଷ୍ଟେସନ ବଜାର ଛକରେ ଥିବା ବିଦେଶୀ ମଦ ଦୋକାନ ଆଗରେ ସ୍ଥାନୀୟ ଲୋକ ଆନେ୍ଦାଳନ କରିଛନ୍ତି  । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ଏବଂ ଅବକାରୀ ବିଭାଗ ଟିମ ପହଞ୍ଚି ଯାଞ୍ଚ୍ କରିବା ସହ ମଦ ଦୋକାନକୁ ସିଲ କରିଦେଇଛନ୍ତି  ।
ସୂଚନାଯୋଗ୍ୟଯେ, ଗତ ୪ ତାରିଖ ଦିନ କଟକ ରୋଡର ବାସୁ ନାମକ ଗ୍ୟାରେଜ ମାଲିକ ଏକ ଭୋଜିର ଆୟୋଜନ କରିଥିଲେ  । ଏହି ଭୋଜିରେ ମୃତ ଦୁଇ ଯୁବକ ଓ ତାଙ୍କର ୪ ଜଣ ସାଙ୍ଗ ସାମିଲ୍ ହୋଇଥିଲେ  । ଭୋଜି ସମୟରେ ସେମାନେ ଷ୍ଟେସନ ବଜାର ଛକ ନିକଟ ସାହୁ ବିଦେଶୀ ମଦ ଦୋକାନରୁ ମଦ କିଣି ନେଇଥିଲେ । ସେହି ମଦକୁ ସମସ୍ତେ ପିଇବା ପରେ ହଠାତ ଆପେୟା ନାୟର ନାମକ ଯୁବକ ଗୁରୁତର ଆହତ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ଗତକାଲ ବିଶ୍ୱଜିତ୍ ବେଉରା ନାମକ ଯୁବକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ଏହିଭଳି ଆଉ ୨ ଜଣ ମଧ୍ୟ ଏହି ବିଷାକ୍ତ ମଦ ପିଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ମୃତକଙ୍କ ଘର ଲୋକ ଓ ସ୍ଥାନୀୟ ଲୋକେ ମଙ୍ଗଳବାର ଦିନ ୩ଟା ବେଳେ ମଦ ଦୋକାନ ଆଗରେ ପହଞ୍ଚି ସେହି ଦୋକାନରେ ଅପମିଶ୍ରିତ ମଦ ବିକ୍ରି ହେଉଥିବା ଅଭିଯୋଗ କରିବା ସହ ରାସ୍ତାକୁ ଅବରୋଧ କରିଥିଲେ  । ଏହି ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଓ ଭୁବନେଶ୍ୱର ଅବକାରୀ ବିଭାଗ ଟିମ ପହଞ୍ଚି ଦୋକାନରେ ଥିବା ମଦ ସାମ୍ପୁଲ ପରୀକ୍ଷା କରିବା ସହ ସଙ୍ଗେ ସଙ୍ଗେ ଦୋକାନକୁ ସିଲ କରିଥିଲେ । ଏହାପରେ ଲୋକଙ୍କ ଆନେ୍ଦାଳନ ହଟିଥିଲା ।