ଜନ ବିଶ୍ୱାସ ବିଲ୍ ପାରିତ
- ୯ ବିଭାଗର ୧୬ ଆଇନ୍ ସଂଶୋଧିତ
- ଜୁଆ ପାଇଁ ବଢ଼ିଲା ଜରିମାନା
ଭୁବନେଶ୍ୱର : ବିଧାନସଭାରେ ଜନ ବିଶ୍ୱାସ ବିଲ୍ ଆଗତ ହେବା ସହ ଆଲୋଚନା ପରେ ପାରିତ ହୋଇଯାଇଛି । ଏହି ବିଲକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିରୋଧୀ କେତେକ ପ୍ରସଙ୍ଗକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେବି ବିଲଟି ପାରିତ ହୋଇଛି । ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଏଣିକି ଜୁଆ ଖେଳ ପାଇଁ କୌଣସି ଜେଲ୍ ଦଣ୍ଡ ବ୍ୟବସ୍ଥା ରହିବ ନାହିଁ । ଜୁଆ ଖେଳ ପାଇଁ ଦଣ୍ଡ ସ୍ୱରୂପ ୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିବ । ସେହିଭଳି ୬ ମାସ କିମ୍ବା ଏକ ହଜାର ଟଙ୍କା ଜୋରିମାନା ବଦଳରେ ନୂଆ ଆଇନ ଅନୁସାରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ । ରାଜ୍ୟ ବିଧାନସଭାରେ ଆସିଥିବା ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫ ଅନୁମୋଦନ ପରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହି ବିଲରେ ଜୁଆ ଖେଳ ସହ ମୋଟ ୯ ବିଭାଗର ୧୬ ମୂଳ ରାଜ୍ୟ ଆଇନରେ ସଂଶୋଧନ କରାଯାଇଛି ।
ବିରୋଧୀ ବିଜେଡି ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଲକୁ ବିରୋଧ କରି ଏହାକୁ ଜନ ଅବିଶ୍ୱାସ ବିଲ୍ ବା ଜନ ବିଶ୍ୱାସଘାତକ ବିଲ ବୋଲି କହିଛନ୍ତି । ଏଭଳି ବିଲ ଆଣି ସରକାର ଜନସାଧାରଣଙ୍କୁ ଭୟଭୀତ କରିବାକୁ ଚାହୁଁଛନ୍ତି । ଭୟ ସୃଷ୍ଟି କରିବା ଏକଛତ୍ରବାଦର ଲକ୍ଷଣ । ଏଥିରେ ରହିଥିବା ମହୁଆ ଫୁଲ ଦ୍ୱାରା ଆଦିବାସୀମାନେ ପ୍ରତିପାଦନ କରିଥିବା ଜୀବନଜୀବିକା ଉପରେ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି । ସେହିପରି ବିଦ୍ୟୁତ୍ ଶୁଳ୍କ କ୍ଷେତ୍ରରେ କରାଯାଇଥିବା ପରିବର୍ତ୍ତନ କମ୍ପାନୀଗୁଡ଼ିକୁ ମୁନଫାଖୋର୍ କରିବ ବୋଲି ରଣେନ୍ଦ୍ର କହିଛନ୍ତି । ତେଣୁ ଏହି ବିଲକୁ ସିଲେକ୍ଟ କମିଟି ପଠାଇବାକୁ ସେ ଦାବି କରିଛନ୍ତି । ସମ୍ମାନ ଭାବେ ବିଲକୁ ବିରୋଧ କରି କଂଗ୍ରେସ ବିଧାୟକ ରାଜନ୍ ଏକ୍କା ଜୁଆ ଖେଳ ସର୍ବଦା ବର୍ଜନୀୟ ବୋଲି କହିଛନ୍ତି । ମାତ୍ର ଏହି ବିଲରେ କେବଳ ଫାଇନ ବ୍ୟବସ୍ଥା ଲୋକଙ୍କ ପରିବାର ନଷ୍ଟ କରିଦେବାର ଆଶଙ୍କା ରହିଛି । ମହୁଆ ଫୁଲ ୧୦ ଲିଟର ପର୍ଯ୍ୟନ୍ତ ରହିଥିବା ସୀମା ଆଦିବାସୀଙ୍କ ଅଧିକାରଙ୍କୁ କ୍ଷୁର୍ଣ୍ଣ କରିବ ବୋଲି ସେ କହିଛନ୍ତି । ବିଜେଡି ପକ୍ଷରୁ ଧ୍ରୁବ ସାହୁ ମଧ୍ୟ ବିଲକୁ ବିରୋଧ କରି ସରକାର କେବଳ ବ୍ୟବସାୟ କରିବାକୁ ଗଠନ ହୋଇନାହିଁ ବୋଲି କହିଥିଲେ । ଏହି ବିଲ ଗୃହୀତ ହେଲେ ସାମାଜିକ ଶୃଙ୍ଖଳା ଭୁଶୁଡ଼ି ପଡ଼ିବ । ଜୁଆ ଖେଳ ସମାଜର ଏକ ବ୍ୟାଧି । ଏହି ଆଇନ ଦ୍ୱାରା ମାତ୍ର ୫ ହଜାର ଦେଇ ଜୁଆ ଖେଳ ହୋଇପାରିବ ବୋଲି ବ୍ୟବସ୍ଥା ହୋଇଛି । ଦେଶୀ ମଦ ବେପାରୀଙ୍କ ପାଇଁ ମଧ୍ୟ ଜୋରିମାନା ବ୍ୟବସ୍ଥା କରାଯାଇଛି। ସେମାନେ ଜୋରିମାନା ଦେଲେ ତାଙ୍କୁ ଛାଡ଼ି ଦିଆଯିବ । ଏଥିପାଇଁ ଗାଁ ଗଣ୍ଡାରେ ପରିବାର ଉଜୁଡ଼ି ଯିବ ବୋଲି ଧ୍ରୁବ କହିଛନ୍ତି । ତେଣୁ ଏହି ବିଲ ପାଇଁ ଜନ ମତ ସଂଗ୍ରହ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ବିଧାୟକ ଗୌତମ ବୁଦ୍ଧ ଦାସ ବିଲକୁ ବିରୋଧ କରି ଦିଲ୍ଲୀରୁ ଏହି ବିଲ ନକ୍ସା ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି । ଏହାକୁ ୨୦୨୩ ରୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । କେବଳ ଶିଳ୍ପପତିଙ୍କ ପାଇଁ ଏହି ବିଲ ପ୍ରସ୍ତୁତ କରାଯାଇଛି । ଯେହେତୁ ଡବଲ ଇଞ୍ଜିନ ସରକାର ଏମାନେ ତାହା କରିବାକୁ ବାଧ୍ୟ । ଶିଳ୍ପ ସଂସ୍ଥା ପାଇଁ ପଥ ପରିଷ୍କାର ହେଉଛି । ଜନ ପ୍ରତିନିଧି ଭାବେ ଆମେ ଚୁପ୍ ରହିଲେ ଇତିହାସ ଆମକୁ କ୍ଷମା ଦେବନି । ସେହିଭଳି ବିଧାୟକ ଗଣେଶ୍ୱର ବେହେରା ବିଲକୁ ବିରୋଧ କରିବା ସହ ଦେଶର ୧୯ ଟି ରାଜ୍ୟ ଏହାକୁ ଗ୍ରହଣ କରି ନାହାନ୍ତି ବୋଲି କହିଛନ୍ତି । ଏଥିରେ ବିଜେପି ଶାସିତ ରାଜ୍ୟମନେ ମଧ୍ୟ ଅଛନ୍ତି । କିନ୍ତୁ ଓଡ଼ିଶା ସରକାର ଏହି ବିଲ ପାରିତ କରିବା ପାଇଁ କାହିଁକି ତରବର ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବିଲରେ ଅପରାଧିକ ମାମଲା ପାଇଁ ଜୋରିମାନା ବ୍ୟବସ୍ଥା କରିବାକୁ ସମାଲୋଚନା କରିଛନ୍ତି । ଶାସକ ଦଳ ପକ୍ଷରୁ ବିଲ ସପକ୍ଷରେ ଯୁକ୍ତି ବାଢ଼ି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଏହି ବିଲ କେବଳ ଇଜ୍ ଅଫ ଡୁଇଂ ବିଜନେସ ନୁହେଁ ଲୋକଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣିବ । ପୂର୍ବରୁ ଏଭଳି ମାମଲାରେ ମାତ୍ର ଦୁଇରୁ ତିନି ମାସ ଜେଲ ଦଣ୍ଡ ଥିଲା । ଏଥିପାଇଁ ଥାନାରୁ ହିଁ ବେଲ୍ ମିଳିଯାଏ । ଲୋକ ଏଥିପାଇଁ ଡରୁନଥିଲେ । ଅଧିକ ଜୋରିମାନା ଦ୍ୱାରା ସେମାନେ ଡରିବେ ଆଉ ଜୁଆ ଖେଳରୁ ଦୂରେଇ ରହିବେ ବୋଲି ସେ କହିଛନ୍ତି । ସେହିଭଳି ୧୦ ଲିଟରରୁ ଅଧିକ ମହୁଆ ଫୁଲରୁ ପ୍ରସ୍ତୁତ ମଦ ରଖିଥିଲେ ଜରିମାନା ରାଶି କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଦେଶୀ ବେଆଇନ ମଦ କାରବାର କମିବ ବୋଲି ସେ କହିଛନ୍ତି । ସରକାରୀ ଦଳ ପକ୍ଷରୁ ବିଧାୟକ ଫକୀର ମୋହନ ନାୟକ, ବାବୁ ସିଂ, ସନ୍ତୋଷ ଖଟୁଆ, ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ବିଲ ସପକ୍ଷରେ ଯୁକ୍ତି ରଖିଥିଲେ ।
ଶେଷରେ ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଲ୍ ବିଚାର ସ୍ଥିତିରେ କହିଥିଲେଯେ, ଶିଳ୍ପ ସଂସ୍ଥାଗୁଡିକ ଉପରେ ମାତ୍ରାଧିକ ନିୟନ୍ତ୍ରଣ ଓ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ହଟାଇବା ପାଇଁ ଏହି ସଂସ୍କାର କରାଯାଇଛି । କେନ୍ଦ୍ର ସରକାର ଆଇନ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ଜନ ବିଶ୍ୱାସ ବିଲ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଅନାବଶ୍ୟକ ଅନୁପାଳନ ବୋଝ ହଟିବ । ଇଜ୍ ଅଫ ଡୁଇଂ ବିଜନେସ କୁ ଗତି ମିଳିବ । ୯ ଟି ବିଭାଗର ୧୬ ଟି ଆଇନ କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ୧୬୧ ଆଇନର ବିଭିନ୍ନ ଧାରାରେ ସଂସ୍କାର ଆଣିବା ପାଇଁ ଚିହ୍ନଟ କରାଯାଇଛି । ୧୧୧ ଟି ଜରିମାନା ଆର୍ଥିକ ଦଣ୍ଡ ଭାବେ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅପରାଧୀକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । କ୍ଷୁଦ୍ର ପ୍ରକ୍ରିୟାଗତ ଅପରାଧ ଓ ବୈଷୟିକ ଅପରାଧ । କ୍ଷୁଦ୍ର ପ୍ରକ୍ରିୟାଗତ ଅପରାଧ ଅଧିନରେ ଛୋଟ ଛୋଟ ଅପରାଧଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ଯେପରିକି ସୂଚନା ଦେବାରେ ବିଳମ୍ୱ, ୩ ମାସ ଜେଲ ଦଣ୍ଡ ଥିଲେ ୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା, ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡକୁ ୨୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ, ୧ରୁ ୩ ବର୍ଷ ଭିତରେ ୧ରୁ ୨ ଲକ୍ଷ ଏବଂ ୩ ବର୍ଷରୁ ଅଧିକ ଜେଲ ଦଣ୍ଡ ଉପରେ ବି ଜରିମାନା ବୃଦ୍ଧି କରାଯାଇଛି ।