ଜବର ଦଖଲ ଉଚ୍ଛେଦ ଓ ଧାନ ମଣ୍ଡି ନିର୍ମାଣ ଦାବି 

 ଆନନ୍ଦପୁର : ଜବର ଦଖଲ ଉଚ୍ଛେଦ ଏବଂ ଧାନମଣ୍ଡି ନିର୍ମାଣ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପୌରପରିଷଦ ଅନ୍ତର୍ଗତ ୧ ଏବଂ ୨ ନଂୱାର୍ଡ ବାସିନ୍ଦା । ୱାର୍ଡରେ ନୂତନ ଧାନମଣ୍ଡି ନିର୍ମାଣ କରିବାପାଇଁ ସମବାୟ ସମିତି ପକ୍ଷରୁ ପ୍ଲଟ ନଂ ୨୭୬୩ ଏବଂ ୨୭୬୪ ଖାତା ନଂ ୧/୧ ଚିହ୍ନଟ କରାଯାଇଥିବା ଜାଗାକୁ ଜୈନିକ ବ୍ୟକ୍ତି ଅକ୍ତିଆର କରି ସେହି ସ୍ଥାନରେ ପକ୍କାଘର ଘର ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି । ଏନେଇ ପୂର୍ବରୁ ସମ୍ପୃକ୍ତ ୱାର୍ଡର ଲୋକେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ପୌର କାର୍ଯ୍ୟ ନିର୍ବାହ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତ ୪ ତାରିଖ ଦିନ ସେହି ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପଦକ୍ଷେପ ନିଆଯାଇ ପାରି ନ ଥିବାରୁ ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ ଏବଂ ଚାଷୀ ଗତ ୭ ତାରିଖ ପୌରକାର୍ଯ୍ୟାଳୟ ଘେରାଉ କରିଥିଲୋ ସେତେବେଳେ, ଏନେଇ ସମାଧାନର ବାଟ ବାହାର କରାଯିବ ବୋଲି ଉପଜିଲ୍ଲାପାଳ ନୀଳମାଧାବ ସୁନା ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପ୍ରତିଶୃତିରେ ରହିଗଲା । ପୁଣିଥରେ ସମ୍ପୃକ୍ତ ୱାର୍ଡର ଲୋକେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ସ୍ଥାନରୁ ତୁରନ୍ତ ଜବର ଦଖଲ ଉଚ୍ଛେଦ କରି ଧନମଣ୍ଡି ନିର୍ମାଣ କରିବାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ଏନେଇ ପୌରାକାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କୁ ଉପଜିଲ୍ଲାପାଳ ଶ୍ରୀ ସୁନା ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଆଇନ ଅନୁଯାୟୀ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ଉଭୟ ଅଧିକାରୀ ପ୍ରତିଶୃତି ଦେଇଥିଲେ । ଘେରାଉ ସମୟରେ ଅତ୍ୟଧିକ ଗରମ ଏବଂ ଗୁଳୁଗୁଳି ହେଉଥିବାରୁ ଏହି ସମୟରେ ବିକ୍ଷୋଭ ରେ ସାମିଲ ଥିବା ପଦ୍ମପୁର ଗ୍ରାମର ଶିବପ୍ରସାଦ ସାହୁ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଆନନ୍ଦପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।