ଜମିଜମା ବ୍ୟବସ୍ଥା ଅଧିକ ସହଜ ହେବ: ପୂଜାରୀ

ଜମିଜମା ବ୍ୟବସ୍ଥା ଅଧିକ ସହଜ ହେବ: ପୂଜାରୀ

ଭୁବନେଶ୍ୱର : ଜମିଜମା ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାରେ ଅନଲାଇନ୍‌ ମାଧ୍ୟମରେ ଉପଲବ୍ଧ କରିବା,  ଭୂମି ରେକର୍ଡ ଓ ରାଜସ୍ୱ ନଥିଗୁଡିକର କମ୍ପ୍ୟୁଟରୀକରଣ, ଗ୍ରାମ ମାନଚିତ୍ର ଗୁଡିକର ଜିଓ ରେଫରେନସିଂ, ଜମି ପଞ୍ଜୀକରଣ ଏବଂ ବିଭିନ୍ନ ସେବାର ଅନଲାଇନ୍‌ ବିତରଣ ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ପରାମର୍ଶଦାତା  ରାଜୀବ ଚାୱଲାଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି । ଶ୍ରୀ ଚାୱାଲା କର୍ଣ୍ଣାଟକ ରାଜ୍ୟର ଭୂମି ରେକର୍ଡ ଆଧୁନିକୀକରଣ ଏବଂ ରାଜସ୍ୱ ବିଭାଗ ଓ କୃଷି ବିଭାଗ ଦ୍ୱାରା ମିଳିତ ଭାବରେ ଚାଲିଥିବା ଆଗ୍ରୋଷ୍ଟାକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ଏବଂ ଭଲ କାର୍ଯ୍ୟଗୁଡିକ (ବେଷ୍ଟ ପ୍ରାକ୍ଟିସେସ୍‌) ବିଷୟରେ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ ।

    ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସିଂ, ରାଜସ୍ୱ ବିଭାଗରେ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ପଟ୍ଟାର ୨ୟ ଖନା ସଂଶୋଧନ, ଅନ୍ୟାନ୍ୟ ସଂସ୍କାରମୂଳକ ପଦକ୍ଷେପ ଏବଂ ଓଡ଼ିଶାରେ ଭୂମି ରେକର୍ଡର କମ୍ପ୍ୟୁଟରୀକରଣ, ପଞ୍ଜୀକରଣ ସେବା ଏବଂ ଅନଲାଇନ୍‌ ସେବା ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ସୁଭମ ସକ୍‌ସେନା ପ୍ରମୁଖ ଉପସ୍ଥିତ ଥିଲେ ।