ଜମିରେ କାଚ ଆବର୍ଜନା ଭର୍ତ୍ତି; ହେଉନି ଚାଷକାର୍ଯ୍ୟ
ପାପଡାହାଣ୍ଡି: ଚାଷ ଜମିରେ ଭଙ୍ଗା କାଚ ଓ ମଇଳା ଆବର୍ଜନା ଭରପୁର ରହିଛି । ଗାଁର ଯେତେ ମଇଳା ଆବର୍ଜନା ଡ୍ରେନେଜ ମଧ୍ୟରେ ଜମିରେ ଆସି ଜମା ହୋଇ ଦୂଷିତ କରିଛି ଚାଷ ଜମିକୁ । ଶ୍ରମିକମାନେ ଏହି ଜମି ଭିତରେ ଯିବାକୁ ଅମଙ୍ଗ ହୋଇଛନ୍ତି । ଫଳରେ ଆଜିକୁ ତିନି ବର୍ଷ ହେବ ଚାଷ ନ ହୋଇ ଜମି ପଡିଆ ହୋଇ ପଡିଛି । ବର୍ଷକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର ହେଉଥିବା ଜମି ଆଜି ମଇଳା ଆବର୍ଜନା ରହିବା ସହ ପଡିଆ ରହିଥିବା ହେତୁ ପରିବାର ଚଳିବା କଷ୍ଟ ହେଉଛି ବୋଲି ଚାଷୀ କହିଛନ୍ତି । ନବରଙ୍ଗପୁର ମୈଦଲପୁର ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥ ଉଚ୍ଚ ବିଦ୍ୟାଳୟ ନିକଟରେ ୬ଏକର ଜମି ରହିଛି । କିନ୍ତୁ ୨ ଏକର ଜମିରେ ଭଙ୍ଗା କାଚ ମଇଳା ଆବର୍ଜନା ରହିଥିବା ହେତୁ ଚାଷ କରି ପାରୁନାହାଁନ୍ତି ଚାଷୀ । ଜମି ମାଲିକ ଡୁମରିପଦର ଗ୍ରାମର ଲକ୍ଷ୍ମୀ ପୂଜାରୀଙ୍କ କହିବାନୁଯାୟୀ, ଆଜିକୁ ତିନି ବର୍ଷ ଏଭଳି ଅବସ୍ଥାରେ ମୋ ଜମି ରହିଛି । ମଇଳା ଆବର୍ଜନା ଓ ଭଙ୍ଗା କାଚ ରହିବା ଫଳରେ ଦୁଇ ଏକର ଚାଷ କରିବାକୁ ହେଉନାହିଁ । ଯାହା ମୁଁ ଏହି ଜମିରେ ଚାଷ ପରିବାର ଚଳୁଥିଲୁ ତାହା ଏବେ କ୍ଷତି ସହିବାକୁ ପଡୁଛି । ଜାତୀୟ ରାଜପଥର ଯେଉଁ ଡ୍ରେନେଜ ରହିଛି ମୈଦଲପୁର ମୁଖ୍ୟ ରାସ୍ତାର ସବୁତକ ମଇଳା ଆବର୍ଜନା ଏହି ଜମିରେ ଆସି ଜମାଟ ବାନ୍ଧି ରହିଛି । ଆଉ ମୈଦଲପୁର ଏକ ଏହି ଅଞ୍ଚଳ ପାଇଁ ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ କିମ୍ବା ପଞ୍ଚାୟତ ପ୍ରଶାସନ ତରଫରୁ ମଇଳା ରଖିବା ସ୍ଥାନ ନିର୍ମାଣ କରି ନଥିବାରୁ ଲୋକମାନେ ଭଙ୍ଗା କାଚ, ମଇଳା ଜିନିଷ ଆଣି ଜମିରେ ଛାଡୁଛନ୍ତି । ଯଦି ପ୍ରଶାସନ ମଇଳା ରଖିବା ସ୍ଥାନ ନିର୍ମାଣ କରନ୍ତେ ତେବେ ଏଭଳି ପରିସ୍ଥିତି ଦେଖିବାକୁ ପଡିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହୋଇଛି । ମୈଦଲପୁର ଠାରେ ବିଭିନ୍ନ କାର୍ଯ୍ୟାଳୟ, ଥାନା ଓ ବ୍ୟାଙ୍କ ରହିଛି । ଏତେବଡ ପଞ୍ଚାୟତ ସଦର ହୋଇ ମଧ୍ୟ ମଇଳା ରଖିବା ସ୍ଥାନ ନିର୍ମାଣ ନ ହେବା ପରିତାପର ବିଷୟ ବୋଲି କୁହାଯାଇଛି । ଶୀଘ୍ର ଏହି ଜମି ଭିତରେ ଥିବା କାଚ, ମଇଳା ଆବର୍ଜନା ସବୁତକ କାଢି ସ୍ୱଚ୍ଛ ଭାରତ ଆଭିଯାନ ପାଇଁ ଏକ ମଇଳା ରଖିବା ସ୍ଥାନ ନିର୍ମାଣ କରିବାକୁ ଜମି ମାଲିକ ଓ ଅଞ୍ଚଳବାସୀ ଦାବି କରିଛନ୍ତି ।