ଜମି ଅଧିଗ୍ରହଣରେ ସବୁଠି ଦୁର୍ନୀତି
ବିଭିନ୍ନ ସମୟରେ ଦେଖାଯାଉଛି ଯେ କିଛି ସରକାରୀ ପ୍ରକଳ୍ପର କାର୍ଯ୍ୟକାରୀତା ସମୟରେ ଲୋକଙ୍କ ଠାରୁ ଜମି ଅଧିଗ୍ରହଣ କରାଯିବାର ଆବଶ୍ୟକତା ପଡୁଛି । ଏଭଳି ପରିସ୍ଥିତିରେ ଜମିର ମାଲିକ ତଥା ଉତ୍ତରାଧିକାରୀମାନଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦିଆଯାଇ ସରକାର ଜମି ଅଧିଗ୍ରହଣ କରୁଛନ୍ତି । ବିଭିନ୍ନ ସମୟରେ ଦେଖାଯାଉଛି ଯେ ଏହି ଜମି ଅଧିଗ୍ରହଣ ଏବଂ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନରେ ସ୍ୱଚ୍ଛତା ରହୁନାହିଁ । ଜମି ଅଧିଗ୍ରହଣ କରୁଥିବା ସଂପୃକ୍ତ ଅଧିକାରୀମାନେ ବିଭିନ୍ନ ପ୍ରକାରର ଦୁର୍ନୀତି କରି ଜମିର ପ୍ରକୃତ ମାଲିକ ପରିବର୍ତ୍ତେ ଆଉ କାହାକୁ ଅର୍ଥ ପୈଠ କରି ଦେଉଛନ୍ତି । ଏହା ଫଳରେ ଅଯଥା ମାଲି ମୋକଦ୍ଦମା କୋର୍ଟ୍ ଗୁଡ଼ିକରେ ବଢୁଛି । ଜମି ଅଧିଗ୍ରହଣ ସମ୍ପର୍କିତ ଦଲିଲ୍, ଦସ୍ତାବିଜ୍ କୋର୍ଟ୍କୁ ଠିକ୍ ସମୟରେ ସରକାରୀ କର୍ମଚାରୀମାନେ ଜାଣିଶୁଣି ଦେଉନାହାନ୍ତି । ନିକଟରେ ଏହିଭଳି ଏକ ଘଟଣାରେ କେନ୍ଦୁଝର ଜିଲ୍ଲାର ଜଣେ ଉପ-ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ୍ ୨୫ ହଜାର ଟଙ୍କାର ଜୋରିମାନା ଲଗାଇ ଦେଇଛନ୍ତି । ଆବଶ୍ୟକ ସମୟରେ ସରକାରୀ ଦସ୍ତାବିଜ୍ ସରକାରୀ କାର୍ଯ୍ୟାଳୟରୁ କୋର୍ଟ୍କୁ ଆସିନପାରିବାରୁ ହାଇକୋର୍ଟ୍ ଏଥିରେ କ୍ଷୁବ୍ଧ ହୋଇ ଯାଇଛନ୍ତି । ତେବେ ସବୁବେଳେ ଯେ ସରକାରୀ କର୍ମଚାରୀମାନେ ଜମି ଅଧିଗ୍ରହଣ ସମୟରେ ଉଦେ୍ଦଶ୍ୟମୂଳକ ଭାବରେ ହେରାଫେରୀ କରୁଛନ୍ତି ତାହା ନୁହେଁ । ଲୋକମାନେ ମଧ୍ୟ ଜାଲ୍ ଦସ୍ତାବିଜ୍ କରି ଜମି ଅଧିଗ୍ରହଣ ସମ୍ପର୍କିତ କ୍ଷତିପୂରଣ ଅର୍ଥ ପାଇବା ପାଇଁ ଦାବି କରୁଛନ୍ତି । ଏ କ୍ଷେତ୍ରରେ ଲୋକମାନଙ୍କୁ ଏଭଳି କାର୍ଯ୍ୟ କରିବା ପାଇଁ କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଦୁର୍ବୁଦ୍ଧି ଦେଉଛନ୍ତି । ପ୍ରଚ୍ଛଦପଟ୍ଟରେ ରହି ସେମାନେ ଏ ପ୍ରକାରର କାମ କରୁଥିବାରୁ ଜାଲ୍ ଦସ୍ତାବିଜ୍ରେ ସହାୟତା ଦାବି କରୁଥିବା ଲୋକମାନେ ହିଁ ଧରା ପଡ଼ି ଜେଲ୍ ଯାଉଛନ୍ତି ।
ରାଜ୍ୟର ଅନେକ ସ୍ଥାନରେ ଏ ପ୍ରକାରର ମାମଲା ବଢ଼ି ବଢ଼ି ଚାଲିଥିବା ଲକ୍ଷ୍ୟ କରାଯାଉଛି । ବିଶେଷ କରି ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକରେ ସମ୍ପ୍ରସାରଣ ସମୟରେ ଅନେକ ଲୋକଙ୍କର ଜମି ସରକାର ଅଧିଗ୍ରହଣ କରିଥାନ୍ତି । ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀମାନଙ୍କର ଏଭଳି କାର୍ଯ୍ୟ ସବୁଦିନିଆ ବା ବୃତ୍ତିଗତ କହିଲେ ଚଳେ । ତେଣୁ ସେମାନେ ପ୍ରକଳ୍ପ ଗୁଡ଼ିକ ଶୀଘ୍ର ସାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଜମି ଅଧିଗ୍ରହଣ କ୍ଷେତ୍ରରେ ଲାଗି ରହୁଥିବା ବିଭିନ୍ନ ବିବାଦ ପ୍ରକଳ୍ପ କାର୍ଯ୍ୟକୁ ମାନ୍ଦା କରି ଦେଉଛି । ନିର୍ଦ୍ଧାରିତ ସମୟରେ ଜମି ଅଧିଗ୍ରହଣ ଶେଷ ହୋଇପାରୁନାହିଁ କି ପ୍ରକଳ୍ପ କାମ ମଧ୍ୟ ଆଗେଇ ପାରୁନାହିଁ । ତେଣୁ ଜାଣିଶୁଣି ଏ ପ୍ରକାରର ଅପରାଧିକ କାର୍ଯ୍ୟକଳାପ କରୁଥିବା ଲୋକମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ । ଏହାଫଳରେ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ । ଜମିଜମା ସମ୍ପର୍କିତ ବିବାଦ ଗୁଡ଼ିକ ପ୍ରକଳ୍ପ କାର୍ଯ୍ୟକୁ ବିଳମ୍ବିତ କରୁଥିବାରୁ ଏଥିରେ ପ୍ରକ୍ରଳ୍ପର ବ୍ୟୟ ଅଟକଳ ବହୁ ପରିମାଣରେ ବଢ଼ିଯାଉଛି । ସରକାରଙ୍କର କୋଟି କୋଟି ଟଙ୍କାର ଅଧିକ ଖର୍ଚ୍ଚ ହେଉଛି । ଜାଣିଶୁଣି ଏ ପ୍ରକାରର କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଦେଶଦ୍ରୋହୀ କାର୍ଯ୍ୟକଳାପ ଆଇନ୍ରେ ଗିରଫ କରି ଦଣ୍ଡ ଦେବା ଉଚିତ୍ । ଏ ପ୍ରକାରର ଜାଲିଆତି କରି ସରକାରଙ୍କ ଠାରୁ ଅର୍ଥ ନେଇ ଯାଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତିକୁ ମଧ୍ୟ ଜବତ୍ କରିବା ଆବଶ୍ୟକ । ଏକ ଜନମଙ୍ଗଳ ରାଷ୍ଟ୍ରରେ ଯେ କୌଣସି ଏକ ପ୍ରକଳ୍ପ ସର୍ବସାଧାରଣଙ୍କ ହିତରେ ହୋଇତାଏ । ଏଭଳି ପ୍ରକଳ୍ପ କାର୍ଯ୍ୟକୁ ବିଳମ୍ବ କରିଲେ ଲକ୍ଷ ଲକ୍ଷ ଲୋକଙ୍କର ସ୍ୱାର୍ଥହାନୀ ହୁଏ । ତେଣୁ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ ହେଉ କିମ୍ବା ଲୋକମାନଙ୍କ ପକ୍ଷରୁ ହେଉ କୌଣସି ଠାରେ ଯଦି ପ୍ରକଳ୍ପ କାର୍ଯ୍ୟ ଅଟକିଯାଉଛି ତାର କାରଣ ଅନୁସନ୍ଧାନ କରାଯିବା ମଧ୍ୟ ଜରୁରୀ । ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ଠିକ୍ ସମୟରେ ନସାରିଲେ ଏଥିରେ ନୂଆ ନୂଆ ବିବାଦ ମଧ୍ୟ ମୁଣ୍ଡ ଟେକୁଛି । ତେଣୁ ପ୍ରକଳ୍ପ କାମ ସୁରୁଖୁରୁରେ ସମାପ୍ତ ହେବା ପାଇଁ ଜନସାଧାରଣଙ୍କ ଠାରୁ ମଧ୍ୟ ସହଯୋଗର ହାତ ବଢ଼ିବା ଆବଶ୍ୟକ ।