ବହୁମୁଖୀ ପ୍ରତିଭାର ଅଧିକାରୀ ଡକ୍ଟର ଦାଶ

ହିମାଂଶୁ ଶେଖର ଆଚାର୍ଯ୍ୟ : ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ । ବିସ୍ମୃତିର ପାଣିକନା ସମୟ ସ୍ଲେଟରୁ ଅନେକ ଲେଖା ପୋଛି ଦେଲେ ବି ଏମିତି କିଛି ଲେଖା ରହିଯାଏ ଯାହା ପୋଛି ହୁଏନା । ତାହା ସ୍ମୃତି ହୋଇ ରହିଯାଏ । ଏଭଳି ଏକ ଅପାଶୋରା ସ୍ମୃତି ହେଉଛନ୍ତି  ଓଡିଶାର ଅନ୍ୟତମ କିମ୍ବଦନ୍ତୀ ପୁରୁଷ, କାଳଜୟୀ ଅଧ୍ୟାପକ, ପ୍ରବୀଣ ଆଇନଜ୍ଞ, ବାଗ୍ମୀ ତଥା ଗବେଷକ ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାଶ । ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଓ ସାଲିସ୍‌ ବିହୀନ ଅଧ୍ୟାପକ ଭାବେ ସେ ଯେତିକି ପରିଚିତ ଥିଲେ, ଜଣେ ସୁସାହିତ୍ୟିକ, ସୁସଂଗଠକ ଏବଂ ସୁବକ୍ତା ଭାବେ ସେତିକି ବିଦିତ ଥିଲେ । ଏପରିକି ସେତେବେଳେ ଡକ୍ଟର ଦାଶ କହିଲେ କେବଳ ତାଙ୍କୁ ହିଁ ବୁଝାଯାଉଥିଲା । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।


       ୧୯୧୮ ମସିହା ନଭେମ୍ୱର ୧୭ ତାରିଖରେ ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଦିନ  ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସୁକିଦା ଗ୍ରାମର ପଡା ଗ୍ରାମ ବୀରନରସିଂହପୁର ବ୍ରାହ୍ମଣଶାସନରେ ପିତା ହାଡିବନ୍ଧୁ ଦାଶ ଓ ମାତା ବିମଳା ଦେବୀଙ୍କ କୋଳମଣ୍ଡନ କରିଥିଲେ ପ୍ରତିଭାଧର ଶ୍ରୀରାମ । ଅସାଧାରଣ ମେଧା ଓ ଧୀଶକ୍ତିର ଅଧିକାରୀ ଥିଲେ ସେ । ପରିବାରର ଆର୍ଥିକ ଦୁରବସ୍ଥା ଓ ପ୍ରତିକୂଳ ପରିସ୍ଥିତି ତାଙ୍କ ପ୍ରତିଭାର ଉନ୍ମେଷ ଦିଗରେ ପ୍ରତିବନ୍ଧକ ସାଜିନଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଚିନ୍ଦା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ମହେଶ୍ୱର କର, ମୂରଲୀଧର ମହାନ୍ତି, ବାଲିକୁଦା ମାଇନର ସ୍କୁଲର  ପ୍ରଧାନ ଶିକ୍ଷକ ରାଜକିଶୋର କାନୁନଗୋ, ହେଡ୍‌ପଣ୍ଡିତ ନନ୍ଦକିଶୋର ସେନ୍‌ ଗୁପ୍ତ, ପୂର୍ଣ୍ଣଚନ୍ଦ୍ର କାନୁନ୍‌ଗୋ, ରେଭେନ୍‌ସା କଲିଜିଏଟ୍‌ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱମ୍ଭର ମିଶ୍ର, ପଣ୍ଡିତ କୁଳମଣି ଦାସ, ମହୀମ ଚଦ୍ର ନନ୍ଦୀ ଏବଂ ରେଭେନ୍ସା କଲେଜର  ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ବର୍ଦ୍ଧନ ,ଅଧ୍ୟାପକ କିଶୋରୀ ପ୍ରସାଦ ସିହ୍ନା, ଅଧ୍ୟାପକ ସଦାଶିବ ମିଶ୍ର, ଅଧ୍ୟାପକ ରତ୍ନାକର ପତି, ଅଧ୍ୟାପକ ହରେକୃଷ୍ଣ ଦାସ, ଅଧ୍ୟାପକ ନାରାୟଣ ମିଶ୍ର ଓ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପ୍ରେରଣା ଓ ସର୍ବୋପରି ପଦ୍ମଭୂଷଣ ରାଧାନାଥ ରଥ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ସମୟୋପଯୋଗୀ ସାହାଯ୍ୟ ସହଯୋଗ ଓ ସହାନୁଭୁତିକୁ ପାଥେୟକରି ନିଜର ଅନନ୍ୟ ପ୍ରତିଭାର ପରାକାଷ୍ଠା ଦେଖାଇ ଜଣେ ଶ୍ରେଷ୍ଠ ଛାତ୍ର ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୨୫ ମସିହାରେ ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଶ୍ରୀରାମ । ପରେ ୧୯୨୮ ରୁ ୧୯୩୨ ବାଲିକୁଦା ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ମଧ୍ୟ ଇଂରାଜୀ ଶିକ୍ଷା ଓ ୧୯୩୨ ରୁ ୧୯୩୬ରେ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ ସେ । ଏହି ସମୟରେ ଶ୍ରୀରାମ ନିଜର ପ୍ରତିଭାର ପ୍ରମାଣ ଦେଇଥିଲେ । ସେଥିପାଇଁ ସେଦିନ ସମାଜ ପୃଷ୍ଠାରେ ସ୍ୱତନ୍ତ୍ର ସମ୍ବାଦ ପ୍ରକାଶିତ ହୋଇଥିଲା । ତାହାର ଶୀର୍ଷକ ଥିଲା - ‘ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଓଡିଆ ଛାତ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ’ । ବିହାର-ଓଡିଶାରେ ମାଟ୍ରିକ ଟପର ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଏହି ଫଳାଫଳ ଅପ୍ରତ୍ୟାଶିତ ନଥିଲା - ଏହା ଥିଲା ତାଙ୍କ ଅସାଧାରଣ ମେଧା ଓ ଅତନ୍ଦ୍ର ସାଧନାର ସ୍ୱୀକୃତି । ଏହାପରେ ସେ ରେଭେନସା କଲେଜରୁ ୧୯୩୬ ରୁ ୧୯୩୮ ଆଇ.ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ , ୧୯୩୮ରୁ ୧୯୪୦ ବି.ଏ. ପରୀକ୍ଷାରେ ଅର୍ଥନୀତି ସମ୍ମାନରେ ଦ୍ୱିତୀୟ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ଓ ୧୯୪୦ ରୁ ୧୯୪୨ ପାଟନା ବିଶ୍ୱବିଦ୍ୟାଳୟ ଅଧୀନ ପାଟନା କଲେଜରୁ   ଏମ.ଏ. ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ତୃତୀୟ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ ।  ଏହାପରେ ୧୯୫୩ ମସିହା ସେପ୍ଟେମ୍ବର ୨୨ ତାରିଖରୁ ୧୯୫୫ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଡକ୍ଟରେଟ୍‌ ଉପାଧି ପାଇଁ ସେ ବର୍ଲିନ୍‌ ଯାତ୍ରା କରିଥିଲେ ଓ ସେଠାରେ ମାତ୍ର ୧୪ ମାସ ଭିତରେ ଦୁଇବର୍ଷର ଗବେଷଣା କାର୍ଯ୍ୟ ଶେଷ କରି ନିଜର ଅଗାଧ ପାଣ୍ଡିତ୍ୟର ପ୍ରମାଣ ଦେଇଥିଲେ ।


       ୧୯୪୮ ମସିହାରେ ଭାରତର ତକ୍ରାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଇ.ଏ.ଏସ୍‌ ଓ ଆଇ.ପି.ଏସ୍‌ ଚାକିରି ସୃଷ୍ଟି କଲେ । ଆଇ.ଏ.ଏସ୍‌ ପଦବୀ ନିଯୁକ୍ତି ପାଇଁଁ ଗୋଟିଏ ସ୍ୱତନ୍ତ୍ର ମନୋନୟନ କମିଟି ଭାରତର ବିଭିନ୍ନ ସ୍ଥାନକୁ ଯାଇ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ବ୍ୟବସ୍ଥା ରହିଲା । ଏଥିପାଇଁ  ପ୍ରସ୍ତୁତ ପ୍ରଥମ ମନୋନୟନ ତାଲିକାରେ ଶ୍ରୀରାମଚନ୍ଦ୍ର ଦାଶ ସ୍ଥାନ ପାଇଥିଲେ ଓ ତାଙ୍କୁ ୧୯୪୯ ଜାନୁଆରୀ ୧୫ ତାରିଖ ସୁଦ୍ଧା ଦିଲ୍ଲୀର ତାଲିମ କେନ୍ଦ୍ରରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲା । ମାତ୍ର ଷଡଯନ୍ତ୍ରର ଶୀକାର ହେଲେ ସେ । ଗୁଇନ୍ଦା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଗୁପ୍ତ ରିପୋର୍ଟରେ ଜଣାଇ ଦିଆଗଲା ଯେ- ଶ୍ରୀରାମ ଦାଶ ଜଣେ କମ୍ୟୁନିଷ୍ଟ ଓ ତାଙ୍କୁ ଆଇ.ଏ.ଏସ୍‌ ରେ ନେଲେ ରାଷ୍ଟ୍ରର ନିରାପତ୍ତା ବିପନ୍ନ ହେବ । ଫଳରେ ତାଙ୍କର ନିଯୁକ୍ତି ପତ୍ର ରଦ୍ଦ ହେଲା । ଏଥିରେ ଦବି ଯାଇନଥିଲେ ଶ୍ରୀରାମ ଦାଶ । ଏହାପରେ ଅର୍ଥନୀତି ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟକରି  ନିଜର କର୍ମମୟ ଜୀବନର ଆରମ୍ଭ କରିବା ସହ ସେ ଜଣେ ପ୍ରବୀଣ ଅଧ୍ୟାପକ ଭାବେ କେବଳ ଆମ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ତାଙ୍କ ଉଦ୍ୟମରେ ୧୯୫୮ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଏକ ସ୍ୱତନ୍ତ୍ର ପାଠ୍ୟ ପୁସ୍ତକ ରୂପେ ଗୃହୀତ ହୋଇ ଅଧ୍ୟାପନା ଆରମ୍ଭ ହେଲା । ୧୯୬୩ ମସିହା ଜୁଲାଇ ୧୨ ତାରିଖରୁ ୧୯୭୫ ମସିହା ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସେ ରାଜନୀତି ବିଜ୍ଞାନର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟକରି ଅନେକ ଯଶ ଓ ଖ୍ୟାତିର ଅଧିକାରୀ ହୋଇପାରିଥିଲେ । ଭାଗ୍ୟର ବିଡମ୍ବନା ଯେ ୧୯୭୫ ମସିହା ଡିସେମ୍ବର ୨୪ ତାରିଖରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।


        ଅବସର ଗ୍ରହଣ ପରେ ଚୁପ୍‌ ହୋଇ ବସି ରହିନଥିଲେ  ଶ୍ରୀରାମ ଦାଶ । ଭବିଷ୍ୟତ ବିପଦକୁ ସାମ୍ନାରେ ଦେଖିପାରୁଥିଲେ ସେ । ତେଣୁ ୧୯୬୦ରେ ଆଇନ୍‌ର ପ୍ରଥମ ଭାଗ ଓ ୧୯୬୧ରେ ଆଇନ୍‌ର ଦ୍ୱିତୀୟ ଭାଗ ପରୀକ୍ଷାରେ ଘରୋଇ ଭାବେ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଏକମାତ୍ର ଛାତ୍ର ଭାବେ ଏଲ୍‌.ଏଲ୍‌.ବି ଡିଗ୍ରୀ ଅର୍ଜନ କରିଥିଲେ । ଏହାର ସଦୁପଯୋଗ କରି ୧୯୭୭ ମେ ମାସ ୧୩ ତାରିଖରୁ ସେ ଓକିଲାତି ଆରମ୍ଭ କଲେ । ଅଧ୍ୟାପକ ଥିଲାବେଳେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସଫଳତା ତାଙ୍କୁୁ ଯେତିକି ଆନନ୍ଦ ଦେଇଥିଲା, ଓକିଲାତିରେ ମଧ୍ୟ ମୋକଦ୍ଦମାରେ ବିଜୟ ହାସଲ କରି କାହା ମୁହଁରେ ହସ ଫୁଟାଇଲେ, ତାହା ତାଙ୍କୁ ସେତିକି ଆନନ୍ଦିତ କରୁଥିଲା । କେବଳ ସେତିକି ନୁହେଁ ନିଖିଳ ଉକ୍ରଳ ରାଜନୀତି ବିଜ୍ଞାନ ମୁଖପତ୍ରର ଉପସଭାପତି ଓ ସଭାପତି ଭାବେ କାର୍ଯ୍ୟକରି ସେ ନିଜର ସାଂଗଠନିକ ଦକ୍ଷତା ଓ କାର୍ଯ୍ୟ କୁଶଳତାର ପ୍ରମାଣ ଦେଇଥିଲେ । ଏଥି ସହିତ ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍‌, ସିଣ୍ଡିକେଟ୍‌ ଓ ପାଠ୍ୟ ସଂସଦର ସଭ୍ୟଭାବେ କାର୍ଯ୍ୟ କରି  ଡକ୍ଟର ଦାଶ ଉଚ୍ଚ ପ୍ରଶଂସିତ ହୋଇଥିଲେ । 


       କେବଳ ଅଧ୍ୟାପନା ବା ଗବେଷଣା ନୁହେଁ, ସୃଜନଶୀଳତା କ୍ଷେତ୍ରରେ ମଧ୍ୟ ଡକ୍ଟର ଦାଶଙ୍କର ଗଭୀର ପ୍ରବେଶ ଓ ଅନୁରାଗ ଥିଲା । ସେ ପ୍ରାୟ ୨୫ ଖଣ୍ଡରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଛନ୍ତି । ଜଣେ ଲବ୍ଧପ୍ରତିଷ୍ଠ ସ୍ତମ୍ଭକାର ହିସାବରେ ତାଙ୍କର ନିଆରା ପରିଚୟ ଥିଲା । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲିଖିତ ନିବନ୍ଧ ଯଥେଷ୍ଟ ପାଠକୀୟ ସ୍ୱୀକୃତି ଲାଭ କରିପାରିଥିଲା । ଉଭୟ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ତାଙ୍କର ଅସାଧାରଣ ପାରଦର୍ଶିତା ଥିଲା ଯାହା ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିବେ । ‘ଭାରତର ସମ୍ବିଧାନ’ ‘ଉକ୍ରଳମଣି ଗୋପବନ୍ଧୁ ଦାସ’ ଓ ‘ୟୁରୋପରେ ମୋ ଅନୁଭୂତି’ ପ୍ରଭୃତି ତାଙ୍କର ଉଲ୍ଲେଖନୀୟ କୃତି । ଏଥି ସହିତ ତାଙ୍କ ରଚିତ ପୁସ୍ତକ ‘ୟୁରୋପରେ ମୋ ଅନୁଭୂତି’ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ଆତ୍ମ ଜୀବନୀ ‘ମୋ ଅକୁହା କାହାଣୀ’ ଅନେକ ଦୃଷ୍ଟିରୁ ଗୁରୁତ୍ୱ ରଖେ । ଏଥିରେ ନିଜ ଜୀବନର ଘାତ-ପ୍ରତିଘାତ, ସଂଘାତ-ସଂଘର୍ଷକୁ ଅତି ନିଖୁଣ ଭାବେ ବର୍ଣ୍ଣଣା କରିଛନ୍ତି । ଯାହାକୁ ଏବର ଶିକ୍ଷକ ଅଧ୍ୟାପକ ପାଠକଲେ ପ୍ରତିକୂଳ ପରିସ୍ଥିତି ଭିତରେ ବି କିପରି ସଫଳତାର ସ୍ୱାଦ ଆସ୍ୱାଦନ କରିହେବ ତାହା ହୃଦୟଙ୍ଗମ କରିବା ସହ ଉପଯୁକ୍ତ ପ୍ରେରଣା ପାଇପାରିବେ । 


   ଏହିଭଳି ଏକ ବହୁମୁଖୀ ପ୍ରତିଭାର ଅଧିକାରୀ  ଶ୍ରୀରାମଚନ୍ଦ୍ର ଦାଶଙ୍କର ଦେହାବସାନ ଘଟିଲା ୧୯୯୪ ମସିହା ଅଗଷ୍ଟ ୧୦ ତାରିଖରେ । ଜ୍ଞାନର ଅସରନ୍ତି ଭଣ୍ଡାର ଥିଲେ ସେ । ସେଥିପାଇଁ ସେ ଅନେକଙ୍କର ଈର୍ଷା ଓ ଅସୂୟାର ପାତ୍ର ହୋଇଥିଲେ । ସବୁଠାରୁ ବଡକଥା ହେଲା ସେ ସର୍ବଦା ଅପ୍ରିୟ ସତ୍ୟକଥା କହୁଥିଲେ ଓ ସେଥିପାଇଁ ଚାକିରି ଆରମ୍ଭରୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ । ଅନ୍ୟାୟ ଭାବେ ଆଇ.ଏ.ଏସ୍‌ ପଦବୀରୁ ବଞ୍ଚିତ ହୋଇଥିଲେବି ନିଜ ହାତରେ ବହୁ ଆଇ.ଏ.ଏସ୍‌ ସୃଷ୍ଟି କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି । 

ଜଗତସିଂହପୁର 
ମୋ - ୯୩୩୭୨୨୧୯୨୪