ଜମି ଦେବା ନାଁରେ ୨୦ ଲକ୍ଷ ଠକେଇ; ଦଲାଲ ଗିରଫ

ଭୁବନେଶ୍ୱର, ୨୫ା୧୨ : ଭରତପୁର ଥାନା ଅଧିନ ଗୋଠପାଟ୍ଟଣାରେ ଏକ ଜମି ଦେବାକୁ କହି ସାଙ୍ଗର ସମ୍ପର୍କୀୟଙ୍କ ଠାରୁ ୨୦ ଲକ୍ଷ ଚଳୁ କରିଥିବା ଅଭିଯୋଗ । ଏନେଇ ଭରତପୁର ଥାନା ପୁଲିସ ଠକେଇ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଝାରଖଣ୍ଡ ରାଜ୍ୟର ଜଣେ ଠକ ଅତୁଲ୍ ସିଂ ଓରଫ ଆକାଶକୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆର ଅଭିଯୋଗକାରିଣୀଙ୍କୁ ରାଜଧାନୀର ଗୋଠପାଟ୍ଟଣା ଅଞ୍ଚଳରେ ଏକ ୨ ହଜାର ବର୍ଗଫୁଟ୍ ଜମିକୁ ୨ ହଜାର ଟଙ୍କାରେ ଫାଇନାଲ କରି ୨୦୨୨ ମସିହାରେ ଓ ୨୩ ମସିହା ମଧ୍ୟରେ ତାଙ୍କଠାରୁ ଆକାଉଣ୍ଟ ଓ କ୍ୟାସ ଆକାରରେ ୨୦ ଲକ୍ଷ ଟଙ୍କା ନେଇଥିଲା ଅଭିଯୁକ୍ତ ଆକାଶ । ଏହାପରେ ଆଉ ଅଭିଯୋଗକାରିଣୀଙ୍କୁ ଧରାଛୁଆଁ ଦେଉନଥିଲା । ପରେ ଜଣାପଡ଼ିଥିଲା ମହିଳା ଜଣଙ୍କ ଠକେଇର ଶିକାର ହୋଇଛନ୍ତି । ଏନେଇ ସେ ଅଭିଯୁକ୍ତକୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହିଥିଲେ ମଧ୍ୟ ସେ ଆଜି କାଲି କହି ଦିନ ଗଡାଇ ଆସୁଥିଲା । ଫଳରେ ଏନେଇ ମହିଳା ଜଣଙ୍କ ୧୫.୫.୨୦୨୪ରେ ଭରତପୁର ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ରହିଥିଲା । ଆଜି ସେ ଭୁବନେଶ୍ୱରରେ ଥିବା ଖବର ପାଇ ପୁଲିସ ତାକୁ ମୋବାଇଲ ଟ୍ରାକିଂ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।