ବାକି ଟଙ୍କା ମାଗିବାରୁ କୁରାଢ଼ିରେ ଆକ୍ରମଣ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୯ା୧ : ଡ଼ିପୋରୁ ବାଲି ଗୋଡି ନେଇଥିବା ବକେୟା ୭୩ ହଜାର ଟଙ୍କା ମାଗିବାରୁ ଡ଼ିପୋ ମାଲିକଙ୍କୁ କୁରାଢ଼ିରେ ମରଣାନ୍ତକ ଆକ୍ରମଣ । ଏଥିରୁ ବର୍ତ୍ତି ଯିବାରୁ ପୁଣି ଗାଡି ଚାବିରେ ଆକ୍ରମଣ । ଫଳରେ ଅଭିଯୋଗକାରୀଙ୍କ ବେକରେ ଓ ଦେହରେ ଗଭିର ଆଘାତ ଲାଗି ସେ ହସ୍ପିଟାଲରେ ଭର୍ତ୍ତି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ତମାଣ୍ଡୋ ଅଞ୍ଚଳର ସିକୁ ବଳ ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବିଶ୍ୱଜିତ୍ ରାଉତରାୟଙ୍କ ତମାଣ୍ଡୋ ବଜାର ଠାରେ ଏମଏସ୍ ସପ୍ଲାୟର ନାମରେ ଏକ ବାଲି, ଗୋଡି, ଚିପସ୍ ଆଦିର ପ୍ରତିଷ୍ଠାନ ରହିଛି । ଘଟଣା ପୂର୍ବରୁ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଉକ୍ତ ବ୍ୟବସାୟ ପ୍ରତିଷ୍ଠାନରୁ ମୋରମ, ମାଟି ଟିପି ପ୍ରୋଜେକ୍ଟକୁ ଟ୍ରାନ୍ସପୋର୍ଟ କରିଥିବା ବେଳେ, ଏହି ଟ୍ରାନ୍ସପୋଟେସନ ବାବଦକୁ ୭୩ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ତାଙ୍କର ଦେବାର ଥିଲା । କିନ୍ତୁ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ସେ ଟଙ୍କା ଦେଇନଥିଲେ । ଏଣୁ ଅଭିଯୋଗକାରୀ ଜଣକ ଗତ ୩୧.୧୨.୨୦୨୪ ତାରିଖ ସକାଳେ ଅଭିଯୁକ୍ତ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ ମଧ୍ୟ ଅଭିଯୁକ୍ତ ଘରେ ନଥିବାରୁ ସେ ଫେରି ଆସିଥିଲେ । ଏହି ଖବର ପାଇ ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଫୋନ କରି ଗାଳିଗୁଲଜ କରିବା ସହ ବାକି ଥିବା ଟଙ୍କା ଦେବାକୁ ମନା କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ୮ ତାରିଖ ରାତିରେ ଡ଼ିପୋ ଭିତରେ ପଶି କୁରାଢ଼ିରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା ।