ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
 
                                ଯାଜପୁରଟାଉନ: ଶନିବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିବସରେ ଅତିଥି ଭାବେ ଜିଲା ପରିଷଦ ସଭାପତି ନଳିନୀପ୍ରଭା ଜେନା ଯୋଗଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସପ୍ତାହ ପାଳନର ଉଦେ୍ଦଶ୍ୟ ବୋଲି କହିଥିଲେ । ଦିବସରେ ଅଧ୍ୟକ୍ଷତା କରି ଜିଲାପାଳ ଶ୍ରୀମତୀ ରେଡ୍ଡୀ ସମସ୍ତଙ୍କୁ ସାଧୁତା ଓ ସଚ୍ଚୋଟତାର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଆମର ଦାୟିତ୍ୱ ଓ ଅଧିକାର କଣ ରହିଛି ତାହା ଜାଣିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ସମାଜସେବୀ ବଳଭଦ୍ର ଦାସ ପ୍ରମୁଖ ସମସ୍ତଙ୍କର ସହଯୋଗ ରହିଲେ ଜିଲାରୁ ଦୁର୍ନୀତି ରୂପକ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି କହିଥିଲେ । ଏହି ଅବସରରେ ଚଳିତ ବର୍ଷର ପ୍ରସଙ୍ଗ "ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’କୁ ନେଇ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଜିଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିମାନଙ୍କୁ "ସତ୍ୟ ନିଷ୍ଠତାରୁ ସମୃଦ୍ଧି’ ବ୍ୟାଣ୍ଡ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ । ଶେଷରେ ଦୁର୍ନୀତି ନିବାରଣ ବିଭାଗ ଯାଜପୁରର ଉପ ଆରକ୍ଷୀ ଅଧିକ୍ଷକ ସୁଶିଲ କୁମାର ଏକ୍କା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଦିବସରେ ଉପସ୍ଥିତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପ୍ରଶାସନିକ ଅଧିକାରୀଗଣ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସୁଲୋଚନା ନାୟକ, ଏଏସଆଇ ଶ୍ରୀକାନ୍ତ ନାୟକ ସଭା ପରିଚାଳନାରେ ସହାୟତା କରିଥିଲେ ।
 
 Henamanjaree Swain
                                    Henamanjaree Swain                                 
    
 
    
 
 
 
