ଜରାଜୀର୍ଣ୍ଣ ଅବସ୍ଥାରେ ସୁକିନ୍ଦା ବିହନ ଫାର୍ମ , ମୋହନ ସରକାର ଦୃଷ୍ଟି ପଡ଼ିବ କେବେ?

ାା ପ୍ରଭାନୁ୍ୟଜ ।ା କୁହିକା : ସୁକିନ୍ଦା ବିହନ ଫାର୍ମ । ଯାହା କୁହିକା ଠାରେ ଅବସ୍ଥିତ ଏକର ଏକର ଜମି ଉପରେ ସ୍ଥାପିତ ଫାର୍ମ ରାଜ୍ୟର ଏକ ଅଗ୍ରଣୀ ବିହନ ଫାର୍ମ ଭାବରେ ପରିଗଣିତ ହେଉଥିଲା । କିନ୍ତୁ ଆଜି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ୨୪ବର୍ଷର ବିଜେଡ଼ି ସରକାର ବିହନ ଫାର୍ମକୁ ଯେଉଁ ଉଦେ୍ଦଶ୍ୟ ରଖି ଘରୋଇ କରଣ କରିଥିଲେ ତାହା ଫଳପ୍ରଦ ହେଲାନି । ବିହନଫାର୍ମକୁ ହାତେଇଥିବା ସଂସ୍ଥା କେବେ ଠୁ ଛାଡ଼ି ଚାଲିଗଲାଣି । ବିଗତ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଲୋକଙ୍କ ସରକାର ହେବାକୁ ଲାଗିପଡ଼ିଛି ଏବଂ ବିଜେପି ସରକାର । କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି । ଡବଲ ଇଞ୍ଜିନ ସରକାର ଆସିବା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି, ବିହନ ଫାର୍ମର ଭାଗ୍ୟ ଫେରିବ ତ ? ୨୩୭ ହେକ୍ଟର ଜମିରେ ଧାନ, ମକା, ବାଜରା, ମୁଗ, ବିରି, କୋଳଥ, ବାଦାମ, ଶୋରିଷ, ଜଡା ଆଦି ଫସଲ କରି ବେସ୍ ସୁନାମ ଅର୍ଜନ କରିଛି । ଛଅ ଦଶନ୍ଧି ଧରି ରୀତିମତ ଶହ ଶହ ଶ୍ରମିକ କାର୍ଯ୍ୟ କରିଥାନ୍ତି । ଏକ ଶହ ବଳଦ, ପାଞ୍ଚଟି ଟ୍ରାକ୍ଟର ଏବଂ ସରକାରି ସ୍ଥରରେ ୨୦/୨୫ ଜଣ ୱାଚର ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ନିଯୁକ୍ତି ପାଇଥିଲେ । ଏଫାର୍ମରୁ ଧାନ ବିହନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଡାଲି ଜାତୀୟ ବିହନ ସଂଗ୍ରହ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଥିଲା । ୧୯୪୮ ମସିହାର ଏହି ଫାର୍ମ ସରକାରଙ୍କ କୃଷି ଭିତିକ ବିହନ ଯୋଗାଣରେ ଏକ ବିପ୍ଲବ ଆଣିଥିଲା । ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଅନ୍ୟାନ୍ୟ ବିହନ ଯୋଗାଇଥିଲା । ତେବେ ୨୦୧୬ ମସିହାରେ ଏହା ଘରୋଇକରଣ କରାଯାଇଥିଲା ଯାହାକି "ନ୍ୟାସନାଲ ସିଡ୍ କର୍ପୋରେସନ ଲିମିଟେଡ’ ସଂସ୍ଥାକୁ ଲିଜ୍ ଆକାରରେ ଦିଆଯାଇଥିଲା । ସେ ଏକ ବର୍ଷ ମୁଗ, ବିରି, ବାଦାମ କରି ଲାଭବାନ ହୋଇ ପାରିନଥିଲା । ଉତ୍ପାଦନ କ୍ଷେତ୍ରରେ ବିଫଳ ହେବା ଫଳରେ ଲିଜଧାରୀ ଫାର୍ମକୁ ବାଏବାଏ କଲେ । ୨୦୧୮ ପରଠାରୁ ଏ ପର୍ଯ୍ୟନ୍ତ ସେଠି ଗାଈ ଗୋରୁ ଚରୁଛନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ବିହନ ଫାର୍ମର ଗୃହ ଗୁଡିକ । ସରୀସୃପ ମାନଙ୍କର ବାସଗୃହ ପାଲଟିଛି । ଉଦ୍ୟାନ ବିଭାଗ ଗୋଟିଏ ପାର୍ଶ୍ୱରେ ୧୨୧, ୬୪ ହେକ୍ଟର ଜମିରେ ଆମ୍ବ, ପିଜୁଳି, କାଜୁ, ଅଁଳା, ଡାଳିମ୍ବ ଫଳୁଥିବା ବେଳେ ବିହନ ଫାର୍ମର ୧୦୮,୦୬ ହେକ୍ଟର ଜମିରେ ଏବେ ଗାଈ ଚରୁଛନ୍ତି । ପରିତାପର ବିଷୟ ବିହନ ଫାର୍ମର ଗୋରୁ ଗୁହାଳ, ଷ୍ଟାଫ୍ କ୍ୱାଟର, ଗୋଦାମ ଗୃହକୁ ଭାଙ୍ଗି ପଥର ଇଟା ଲୋକମାନେ ବୋହି ନେଲେଣି । ଚାଷ ଜମି ପଡିଆ ପଡିଥିବାରୁ ଅନ୍ୟ ଅସାମାଜିକ ଲୋକମାନେ ଜବରଦସ୍ତ ଜମିକୁ ନିଜ ଅକ୍ତିଆର କରି ନେଲେଣି । ରାଜ୍ୟ ସରକାର ପୂର୍ବ ପରି ନିଜ ଅକ୍ତିଆରକୁ ନ ନିଏ ତେବେ ବିହନ ଫାର୍ମର ଘର ଗୁଡିକ ଲୋକମାନେ ଭଡାରେ ଦେଇଦେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ଅଥବା ଉଦ୍ୟାନ ବିଭାଗକୁ ହସ୍ତାନ୍ତର କଲେ ରାଜ୍ୟ ସରକାର ଏ ଦିଗରେ ଲାଭବାନ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରନ୍ତା । ମୋହନ ସରକାର ଏଦିଗରେ ଦୃଷ୍ଟି ଦେଉଛନ୍ତ କି ନାହିଁ, ତାହା ଦେଖିବାର ଅଛି ।