ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ : ୨୩ରୁ ଖୋଲିବ ଧାନମଣ୍ଡି
ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଓଡିଶା ସରକାରଙ୍କ ବାଣିଜ୍ୟ, ଖଣି ଓ ପରିବହନ ବିଭାଗର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଜିଲ୍ଲାର କିପରି ସମସ୍ତ ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ସୁରଖୁରରେ ଧାନ ସଂଗ୍ରହ ହେବ ସେଥିପ୍ରତି ପଦକ୍ଷେପ ନିଆଯିବ। ମିଲର, ଚାଷୀ ଓ ପ୍ୟାକସ ଉତ୍ତମ ସମନ୍ୱୟ ରଖି ସମସ୍ତ ଚାଷୀଙ୍କ ଧାନ କିଣାଯିବ । ଜ଼ିଲ୍ଲାର ସମସ୍ତ ମଣ୍ଡିରେ ଚାଷୀଙ୍କ ନିମନ୍ତେ ସବୁ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା ରହିବ । ରାଜ୍ୟ ସରକାରଙ୍କ ଧାନର ମୂଲ୍ୟ ସହ ୮୦୦ ଟଙ୍କା ବୋନସ ଘୋଷଣା ପରେ ଜ଼ିଲ୍ଲାରେ ଗଲାବର୍ଷ ଚାଷୀଙ୍କ ମେରୁଦଣ୍ଡ ସଳଖ ହୋଇପାରିଛି । ଜିଲ୍ଲାରେ ଡିସେମ୍ବର ୨୩ ତାରିଖଠୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ । ଯଦି ଚାଷୀଙ୍କ ଧାନ ଅମଳକୁ ଦୃଷ୍ଟିରେ ଯେଉଁ ଅଞ୍ଚଳରେ ଧାନ ବିକ୍ରି ପାଇଁ ଚାଷୀ ଆଗୁଆ ଉତ୍ସାହ ଅଛନ୍ତି ତାହାକୁ ନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବୈଠକ ଆଲୋଚନା କରାଯାଇଛି । ବିଶେଷ କରି ଗଞ୍ଜାମ ଜ଼ିଲ୍ଲାରେ ଖଣି ପକା ଧାନ ପାଇଁ ଯେଉଁ ସ୍ୱତନ୍ତ୍ର ପରିଚୟ ଥିଲା ତାହାକୁ ଫେରାଇବା ନିମନ୍ତେ ଚାଷୀ ଓ ମିଲରମାନେ ଉଦ୍ୟମ କରାଗଲେ ଭଲ ହେବ ଏଥିପାଇଁ ସରକାର ତଥା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।
ଚଳିତ ବର୍ଷ ଜିଲ୍ଲାରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ବର୍ଷ ୩୬୬ଟି ପ୍ୟାକ୍ସ, ଗୋଟିଏ ପାଣି ପଞ୍ଚାୟତ ଏବଂ ୧୦୯ ଟି ଏସଏଚଜି ଗ୍ରୁପକୁ ଧାନ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି । ଜ଼ିଲ୍ଲାରେ ଗଲାବର୍ଷ ୫୮ଲକ୍ଷ ୮୦ ହଜାର ୮୫୪ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଏହିବର୍ଷ ୬୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ୩୬ ଲକ୍ଷ ୫୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । ମଣ୍ଡି ଗୁଡିକର ସୁପରିଚାଳନା ପାଇଁ ସୋସାଇଟି ସ୍ତରରେ ଧାନ ସଂଗ୍ରହ କମିଟି ଗଠନ କରାଯିବ ଓ ମଣ୍ଡି ନୋଡାଲ ଅଫିସର ଓ ସୁପରଭାଇଜର ନିୟୋଜିତ କରାଯିବ । ଏହାସହିତ ଜିଲ୍ଲା ସ୍ତରରେ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡ, ଉପଖଣ୍ଡ ସ୍ତରରେ ଉପଖଣ୍ଡ ଏବଂ ବ୍ଲକ ସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯିବ । ସଂଗ୍ରହ ହେଇଥିବା ଧାନର ମୂଲ୍ୟ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ପଠାଯିବ । ଧାନ ସଂଗ୍ରହ ପ୍ରଣାଳିକୁ ତ୍ରୁଟିଶୂନ୍ୟ କରିବା ପାଇଁ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର, ଆଡ଼ଭାନ୍ସ ମୋବାଇଲ ପ୍ୟାଡ଼ି କ୍ଲିନର, ଗ୍ରେନ ଆନାଲାଇଜର, ଆଦ୍ରତା ମାପ ଯନ୍ତ୍ର ଆଦି ବ୍ୟବହାର କରାଯିବ । ଏହି ବୌଠକରେ ଚାଷୀ ନେତା ଓ ମିଲରମାନେ ଏବଂ ଉପସ୍ଥିତ ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ନିଜ ନିଜ ବକ୍ତବ୍ୟରେ ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ କିଣାଯାଇପାରିବ ମତାମତ ରଖିଥିଲେ ।