ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା 

 ନୂଆପଡ଼ା : ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ୧୧୫୫ ଜଣ ଚାକିରି ଆଶାୟୀ ନାମ ପଞ୍ଜିକୃତ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସମ୍ମାନିତଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ୍, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ଖରିଆର ରୋଡ୍ ସଭାପତି ସନ୍ଦୀପ ଶର୍ମା, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ସରୋଜ ଦାଶ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ବିନୋଦ ଲାକ୍ରାଙ୍କ ଉଦ୍ୟମରେ ଆୟୋଜିତ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୦ରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ସଂସ୍ଥା, ପ୍ରକଳ୍ପ, ଶିଳ୍ପ ତାଲିମ୍ ପ୍ରତିଷ୍ଠାନ ଯୋଗଦେଇଥିଲେ । ଏହି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ୍ ତଥା ଜିଲ୍ଲା ବାହାରର ଚାକିରି ଆଶାୟୀ ଯୁବକ ଯୁବତୀ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତାରୁ ଅଂଶ ଗ୍ରହଣ କରିଥିବା ବେଳେ, ସମସ୍ତ ବିଡିଓ ଓ ଓଡିଶା ଜୀବିକା ମିଶନ ପକ୍ଷରୁ ସେମାନଙ୍କ ଆସିବା ପାଇଁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ୍ କମଳାସନ ରଥ, ସମସ୍ତ କର୍ମଚାରୀ, ସରକାରୀ ତାଲିମ୍ କେନ୍ଦ୍ରର ସମସ୍ତ କର୍ମଚାରୀ, ନିୟୋଜନ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।