କଳାକାରଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବର୍ଗର କଳାକାର, ସାହିତ୍ୟକ ଓ ସଂସ୍କୃତି ଗବେଷକଙ୍କ ସମିଶ୍ରଣରେ ଗଠିତ ସଂଗଠନ ଯେଉଁଥିରେ ଭଜନ, ପାଲା, ଗୋଡାନାଚ, ସଂକୀର୍ତ୍ତନ, କେନ୍ଦରାଗୀତ, ଭାଗବତ ଟୁଙ୍ଗୀ, ଓଡିଶୀ ନୃତ୍ୟ, ଲୋକନୃତ୍ୟ ଇତ୍ୟାଦି ସମସ୍ତ କଳାକାରମାନଙ୍କର ବିଭିନ୍ନ ଅସୁବିଧା ନେଇ ଜିଲ୍ଲାପାଳଙ୍କ ଅବଗତି ଓ ସମାଧାନ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସମାଧାନ ମିଳୁନାହିଁ । ତେଣୁ ନୂତନ ସରକାର ଗଠନ ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପରିବର୍ତ୍ତନ ହେଉଥିବାରୁ ନିମ୍ନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ପୁନର୍ବାର ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଯଦି ସମାଧାନ ନହୁଏ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେହି ସମସ୍ୟାଗୁଡିକ ମଧ୍ୟରେ ଓଡିଆର ଅନ୍ୟ ଏକ ପରିଚୟ ଭାଗବତଟୁଙ୍ଗୀ । ଯାହା ଦୀର୍ଘଦିନର ଲଢେଇ ପରେ ରାଜ୍ୟ ସାଂସ୍କୃତି ବିଭାଗ ତରଫରୁ କେନ୍ଦ୍ରାପଡା ଜିଲ୍ଲାକୁ ୪୩୮ଗୋଟି ଭାଗବତଟୁଙ୍ଗୀ ନିମେନ୍ତେ ୫୦ ହଜାର ଲେଖାଏଁ ମୋଟ ୨କୋଟି ୧୬ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କନ୍ତୁ ଜିଲ୍ଲାର ୯ଟି ବ୍ଲକରେ ଗୋଟିଏ ହେଲେ ଭାଗବତଟୁଙ୍ଗୀକୁ ସହାୟତା ପ୍ରଦାନ କରାଯାଇନାହିଁ । ଜିଲ୍ଲାର ବିଭିନ୍ନ ବିଭାଗ ତଥା କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରଚାର ଓ ସଚେତନତା ପାଇଁ ଆସୁଥିବା ଅର୍ଥ ଠିକ୍ ଭାବରେ ଖର୍ଚ୍ଚ କରାଯାଉନାହିଁ କିମ୍ବା କଳାକାରମାନଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରାଯାଉନାହିଁ, କଳା ଓ କଳାକାର ଉନ୍ନତି ପାଇଁ ଗଠନ ହୋଇଥିବା ବିକେଏସ୍ଏସ୍ ଓ ଜେଡ୍କେଏସ୍ଏସ୍ ୨୦୧୪ ମସିହାପରଠାରୁ ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ କିମ୍ବା ନିର୍ବାଚନ କରାଯାଇ ନୂତନ ଉପସଭାପତି ଚୟନ କରାଯାଉନାହିଁ । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସରକାରୀସ୍ତରରେ ଜିଲ୍ଲା ମହୋତ୍ସବ ପାଳନ ହେଉଥିବା ବେଳେ, କେନ୍ଦ୍ରାପଡା ଜିଲ୍ଲାରେ ତାହା କରାଯାଉନାହିଁ । ଯାହାଫଳରେ କଳାକାର, ସାହିତି୍ୟକ ଓ ସଂସ୍କୃତି ଗବେଷକମାନଙ୍କୁ ଉଚିତ୍ ସମ୍ମାନ ମିଳୁନାହିଁ, ଜିଲ୍ଲାରେ ଯେଉଁ କେତୋଟି ସରକାରୀ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ନିର୍ଦ୍ଧିଷ୍ଟ କେତେଗୋଟି ଜିଲ୍ଲା ମୁଖ୍ୟାଳୟରେ ଥିବା ଅନୁଷ୍ଠାନକୁ ସୁଯୋଗ ଦିଆଯାଉଛି ଏବଂ ଜିଲ୍ଲା ସଂଗଠନ ସହିତ କୌଣସି ଆଲୋଚନା କରାନଯାଇ ମନମୂଖୀ ଚୟନ ସହିତ ଅତି ସ୍ୱଳ୍ପ ପ୍ରାପ୍ୟ ପ୍ରଦାନ କରାଯାଉଛି । ଯାହାଦ୍ୱାରା ଜିଲ୍ଲା ସଂସ୍କୃତି ବିଭାଗର ଅର୍ଥ ହେର୍ଫେର୍ର ପ୍ରମାଣ ଦେଉଛି । ଉପରୋକ୍ତ ସମସ୍ୟାଗୁଡିକର ଆଗାମୀ ୧୦ଦିନ ମଧ୍ୟରେ ଯଦି କୌଣସି ଆଖିଦୃଶିଆ ସମାଧାନ କରାନଯାଏ ନୂତନ ସରକାରଙ୍କର ୧ ବର୍ଷ ପୂର୍ତ୍ତି ପାଳନ ସମୟରେ ସମସ୍ତ ବ୍ଲକସ୍ତରରେ ଜିଲ୍ଲାର ସମସ୍ତ ବର୍ଗର କଳାକାରମାନେ କଳା ଦିବସ ପାଳନ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ସଭାପତି ସୁବ୍ରତ ରାଉତ ଓ ସମ୍ପାଦକ ନିରାକାର ମହାପାତ୍ର ଦାବିପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସୁରେନ୍ଦ୍ର ଶତପଥି, ଜ୍ଞାନରନ ରାଉତ, ଶିବ ପ୍ରସାଦ ବେହେରା, ପ୍ରଶନ୍ନ କୁମାର ଦାସ, ଭାଗ୍ୟଧର ରାଉତ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।