ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ବୈଠକ ପ୍ରାରମ୍ଭରେ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ ଗତମାସରେ ହେଇଥିବା ବୈଠକର ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମତଃ କଲେଜ ବାଇପାସ୍ରୁ କୋରିଆଁ ବାଇପାସ୍ ପର୍ଯ୍ୟନ୍ତ ରାଜପଥରେ ୮ଟି ସ୍ଥାନରେ ୮ଟି ହାଇମାଷ୍ଟ ଲାଇଟ ଲଗେଇବାକୁ ସ୍ଥିର ହୋଇଥିଲା । ଯାହାଫଳରେ ଏହି ରାସ୍ତାରେ ସଡକ ଦୁର୍ଘଟଣାକୁ ଏଡାଯାଇପାରିବ । ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିଜ ଉତ୍ତରରେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ସେମାନେ ୪ଟି ଜାଗାରେ ଏହି ଲାଇଟ ଲଗେଇ ସାରିଲେଣି । ଖୁବ୍ଶୀଘ୍ର ଆଉ ୪ଟି ଲାଇଟ୍ ଲଗାଯିବ ବୋଲି କହିଛନ୍ତି । ଏହାସହିତ ଜାତୀୟ ରାଜପଥ ୫୫ର ମୁଖ୍ୟ ନିର୍ମାଣ କାର୍ଯ୍ୟ ସବୁ ଏପ୍ରିଲ ୧୫ ସୁଦ୍ଧା ସରିଯିବ ବୋଲି ପ୍ରାଧିକରଣର କର୍ତ୍ତୃପକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଯୋଗ ଦେଇ ସଡକ ସୁରକ୍ଷାର ସଚେତନତା କରାଇବା ଯେତିକି ପ୍ରଶାସନର ଦାୟିତ୍ୱ ସେତିକି ପରିବାରରା ଦାୟିତ୍ୱ ମଧ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏଥିସହିତ ଜିଲ୍ଲା ଦେଇ ଯାଇଥିବା ରାଜପଥରେ ବର୍ତ୍ତମାନ ପୋଲିସର ପେଟ୍ରୋଲିଂ ବହୁତ ବଢ଼ାଯାଇଛି ବୋଲି କହିଥିଲେ । ଜିଲ୍ଲାରେ ୨୦୨୫ ଜାନୁଆରୀରେ ମୋଟ ୩୮ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୧୯ଜଣ ମୃତୁ୍ୟବରଣ କରିଥିବାବେଳେ ୩୩ ଜଣ ଆହତ ହେଇଛନ୍ତି । ଏହି ସଂଖ୍ୟା ପୂର୍ବ ବର୍ଷ ଜାନୁଆରୀ ମାସ ତୁଳନାରେ ୯.୫୨ ପ୍ରତିଶତ କମ ଅଟେ । ଜିଲ୍ଲାରେ ଜାନୁଆରୀ ମାସରେ ସଦର ଥାନା ଅଂଚଳରେ ସର୍ବାଧିକ ୭ ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୪ଜଣ ମୃତୁ୍ୟବରଣ କରିଛନ୍ତି । ତେବେ ଜିଲ୍ଲାରେ ରୋଡ଼ ରୋମିଓଙ୍କ ପ୍ରାଦୁର୍ଭାବକୁ କମ କରିବା ପାଇଁ ଅଧିକରୁ ଅଧିକ ଚେକିଂ କରିବା ସହିତ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ପାଇପକୁ ଜବତ କରାଯାଇ ଜୋରିମାନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହେଇଛି । ଏହି ବୈଠକରେ ଜିଲ୍ଲା ସଡକ ସୁରକ୍ଷା କମିଟି ସଦସ୍ୟ ଓ ସମ୍ପୃକ୍ତ ବିଭଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।