ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ; ୯ ମାସରେ ଦୁର୍ଘଟଣାରେ ଗଲାଣି ୮୫ ଜୀବନ
ନୂଆପଡା,୨୬ା୯ : ନୂଆପଡା ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମ୍ ଓ ଡଃ ଧନେଶ୍ୱର ସେଠୀ, ଆଡିସନାଲ ଏସ୍ପି ରଣଜିତ୍ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଚାଲି ଯାଉଥିବା ଅମୂଲ୍ୟ ଜୀବନକୁ ଆମକୁ ରୋକିବାକୁ ପଡ଼ିବ । ଏଥିପାଇଁ ଆମକୁ ସଚେତନ ହେବା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ । ବିଗତ ୯ ମାସରେ ଜିଲ୍ଲାରେ ୧୦୫ଟି ଦୁର୍ଘଟଣାରେ ୮୫ଜଣ ମୃତ୍ୟୁବରଣ କରିଛନ୍ତି । ଏବଂ ୫୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ଚଳିତ ବର୍ଷର ସେପ୍ଟେମ୍ବର ପର୍ଯ୍ୟନ୍ତ ୮୪ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇବା ପାଇଁ ୩୩୧୨ଟି ଚାଲାଣ କଟିଛି । କେବଳ ଅଗଷ୍ଟ ମାସରେ ୬୬୪ ଟିଭିସିଆର୍ କଟିଛି ଏବଂ ୩୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି, ଏ ନେଇ ବୈଠକରେ ସୂଚନା ଦିଆଯାଇଛି । ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ୱ ଦେବା ସହ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) ଚେକିଂ କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ଟିଓ ତଦାରଖ କରିବେ । ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯିବ ନେଇ ଆଲୋଚନା ହୋଇଥିଲା।
ସେହିପରି ବିଜୁ ଏକ୍ସପ୍ରେସ ୱେ ଯେଉଁଠାରେ ଦବି ଯାଉଛି, ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ ଏବଂ ରାସ୍ତାରେ କ୍ୟାମେରା ଲଗାଇ ଯାନବାହାନ ସ୍ପିଡ ଉପରେ ନଜର ରଖାଯିବ । ସବୁ ସ୍କୁଲ୍ ବସ୍ ବ୍ୟାପକ ଚେକିଙ୍ଗ ହୋଇ ଫିଟ୍ନେସ୍ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହାପରେ ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଡିଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଡିଆର୍ଏମ୍ ଜଗଦିଶ ପଟ୍ଟନାୟକ, ଏନ୍ଏଚ୍ ଯନ୍ତ୍ରୀ ସପନ କୁମାର ବେହେରା, ସିଡିଭି ଓ ଡଃ ପାର୍ଥ ସାରଥି ଦୋରା, ନୂଆପଡା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା, ଖରିଆର ରୋଡ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଖରିଆର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଡିଟିଏମ୍ ଆକାଶ ମହାପାତ୍ର, କଦମ୍ରୁ ଯାଜ୍ଞସେନୀ ମହାପାତ୍ର, ସ୍ୱେଚ୍ଛାସେବୀ ବିଜୟ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।