ଘର ସମ୍ମୁଖରେ ମୃତଦେହ ଉଦ୍ଧାର

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ଏକ ଘର ସମ୍ମୁଖରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମକରଧ୍ୱଜ ନାଏକ ( ୩୦) । ସୂଚନାରୁ ପ୍ରକାଶ, ମକରଧ୍ୱଜ ନାଏକ ଗତକାଲି ରାତିରେ ଘରେ ଶୋଇଥିଲେ । ବୋଧେ ବହୁତ ଗୁଳୁଗୁଳି ଝାଳ ହେବାରୁ ରାତି ୧୨ ଟାରେ ସେ ବାହାରକୁ ଶୋଇ ଆସିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ସକାଳେ ଦେଖିଲା ବେଳକୁ ତାଙ୍କର ମୃତ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ କହି ମୃତକର ବାପା ଯୁଧିଷ୍ଠିର ନାଏକ ଦଶପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ନିଜର ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ଜବତ କରିଥିଲେ । ପରେ ଗୋଲାମୁଣ୍ଡା ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡି ଧର୍ମଗଡ଼ ଏସଡିପିଓ ମୁକ୍ତିକାନ୍ତ କୁଲ୍ଲୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୋଲିସ ହତ୍ୟା ସନ୍ଧେହ କରି କଳାହାଣ୍ଡି ଓ ନବରଙ୍ଗପୁର ସାଇଣ୍ଟିଫିକ ଟିମକୁ ଡାକି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଶବଟିକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଏସଆଇ ସୁଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।