ଜେନ୍-ଜେଡ଼ରେ ଫାଟ : କିଏ ହେବେ ଅନ୍ତରୀଣ ମୁଖ୍ୟ? ସୁଶୀଳା ନା କୁଲମନ
କାଠମାଣ୍ଡୁ: ନେପାଳର ଜେନ୍-ଜେଡ଼ ବିକ୍ଷୋଭକାରୀଙ୍କ ମଧ୍ୟରେ ଫାଟ ସୃଷ୍ଟିହୋଇଛି । ଅନ୍ତରୀଣ ମୁଖ୍ୟଙ୍କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ କରିବାକୁ ଚାହୁଁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ନେପାଳର ପୂର୍ବତନ ଇଲେକ୍ଟ୍ରି ମୁଖ୍ୟ କୁଲମନ୍ ଘିସିଙ୍ଗଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । ଫଳରେ ବିକ୍ଷୋଭକାରୀଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି ।
ଅପରପକ୍ଷରେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡ଼େଲ ଓ ଆର୍ମି ମୁଖ୍ୟ ଅଶୋକ ରାଜ ସିଗଡ଼େଲଙ୍କ ମଧ୍ୟରେ ଅନ୍ତରୀଣ ମୁଖ୍ୟ ଚୟନ ପାଇଁ ଆଲୋଚନା ଚାଲିଛି । ଜେନ୍-ଜେଡ଼ ଗୋଷ୍ଠୀର ଉଭୟ ପକ୍ଷଙ୍କ ମଧ୍ୟରେ ଦୁଇ ନେତା ଆଲୋଚନା ଚଳାଇଛନ୍ତି । ସେହିପରି ସୁଶୀଳାଙ୍କୁ ଏଯାବତ୍ ରାଷ୍ଟ୍ରପତି କିମ୍ବା ଜେନ ଜେଡ଼ ବିକ୍ଷୋଭକାରୀଙ୍କ ପକ୍ଷରୁ ବିଧିବଦ୍ଧ ଡକରା ଆସିନାହିଁ । ତାଙ୍କର ବୟସ ବି ୭୦ ହୋଇସାରିଥିବାରୁ କେତେକ ବିକ୍ଷୋଭକାରୀ ସହମତି ପ୍ରକାଶ କରୁନାହାନ୍ତି ।
ସୁଶୀଳାଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରିବାକୁ ପ୍ରଥମେ ନିଷ୍ପତ୍ତି ନିଆଯାଇଥିଲା । ତେବେ ନେପାଳର ସମ୍ବିଧାନ ଅନୁସାରେ ପୂର୍ବତନ ମୁଖ୍ୟ ବିଚାରପତି ପ୍ରଧାନମନ୍ତ୍ରୀ ହୋଇପାରିବେନି । ଅପରପକ୍ଷରେ ବଳେନ୍ଦ୍ର ଶାହଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେବି ସେ ଆଗ୍ରହୀ ନାହାନ୍ତି ବୋଲି କହିଥିଲେ । ସୁଶୀଳାଙ୍କ ପୂର୍ବରୁ ପ୍ରଥମେ କାଠମାଣ୍ଡୁ ମେୟର ବଳେନ୍ଦ୍ରଙ୍କ କଥା ଉଠିଥିଲା । ଧାରଣ ମୁନିସପାଲଟି ମେୟର ହାର୍କ ସାମ୍ପଙ୍ଗ କଥା ଉଠିଥିଲେବି ସେ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବାର ଦକ୍ଷତା ରଖିନାହାନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ତେବେ ଦେଶର ବିଜୁଳି ସଂକଟକୁ ଦୂର କରିଥିବା ଘିସିଙ୍ଗ ସବୁ ଦୃଷ୍ଟିରୁ ଯୋଗ୍ୟବୋଲି ମତପ୍ରକାଶ ପାଇଛି ।