ଜେଲରୁ ମୁକ୍ତ ହେଲେ କଏଦୀ 

କେନ୍ଦୁଝର:  ଜରିମାନା ଅର୍ଥ ଦେଇ ନ ପାରିବାରୁ ଜେଲରେ ସଜ୍ଜା କାଟୁଥିବା ଜଣେ କଏଦୀଙ୍କୁ ସହାୟତାର ହାତ ବଢାଇଛି ବନବାସୀ କଲ୍ୟାଣ ଫାଉଣ୍ଡେସନ । ଜରିମାନା ବାବଦକୁ ଫାଉଣ୍ଡେସନ ପକ୍ଷରୁ ୧୦ ହଜାର ଟଙ୍କା ଗତକାଲ ଜମା କରିବା ପରେ ଆଜି ତାଙ୍କୁ କେନ୍ଦୁଝର ଜେଲରୁ ମୁକ୍ତି ମିଳିଛି । ତାଙ୍କ ନାମ ସିଲେଇ ମୁଣ୍ଡା(୫୨) ଏବଂ ତାଙ୍କ ଘର ସଦର ବ୍ଲକ ଅନ୍ତର୍ଗତ ଆମୁଣୀ ଗ୍ରାମ ମୁଣ୍ଡାସାହିରେ ବୋଲି ଜଣାପଡିଛି । ସେ ଏକ ମାମଲାରେ ଗିରଫ ହୋଇ ଦଣ୍ଡିତ ହୋଇଥିଲେ । ତାଙ୍କୁ ୧୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିଲା । ଜରିମାନା ଅନାଦେୟ ଆଉ ୬ ମାସ ଜେଲ ଦଣ୍ଡ ଆଦେଶ ହୋଇଥିଲା । ତେବେ ଅର୍ଥ ଅଭାବରୁ ୧୦ ଜେଲ ପରେ ମଧ୍ୟ ସଜ୍ଜା କାଟୁଥିଲେ । ଏ ନେଇ ସୂଚନା ପାଇବା ପରେ ବନବାସୀ କଲ୍ୟାଣ ଫାଉଣ୍ଡେସନ ପକ୍ଷରୁ ଜରିମାନା ବାବଦ୧୦ ହଜାର ଟଙ୍କା କୋର୍ଟରେ ଜମା କରାଯାଇଥିଲା ବୋଲି ବନବାସୀ କଲ୍ୟାଣ ଫାଉଣ୍ଡେସନର ଓଡିଶା ଅଧ୍ୟକ୍ଷ ଇଂ. ବସନ୍ତ କୁମାର ଦାନୀ ସୂଚନା ଦେଇଛନ୍ତି । ଜେଲରୁ ମୁକ୍ତ ପରେ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଥଇଥାନ କରାଯିବ ବୋଲି ଶ୍ରୀ ଦାନି କହିଛନ୍ତି । ଓଡିଶାର ବିଭିନ୍ନ ଜେଲରେ ଛୋଟ ଛୋଟ ମାମଲାରେ ବହୁ ବନ୍ଦୀ ରହିଛନ୍ତି । ତାଙ୍କ ମୁକ୍ତ ପାଇଁ ସହଯୋଗର ହାତ ବଢାଯିବ ବୋଲି ଉପଦେଷ୍ଟା ଅବସରପ୍ରାପ୍ତ ଜେଲ ଡିଆଇଜି ଅମୀୟ ପଟ୍ଟନାୟକ କହିଛନ୍ତି । ଜେଲରୁ ମୁକ୍ତ ସମୟରେ ଫାଉଣ୍ଡେସନର ସଦସ୍ୟ ରମେଶ ବେହେରା,ଭାବଗ୍ରାହୀ ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର କେଦାର ଦାଶ, ସୁବ୍ରତ ମହାନ୍ତି,ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସିଲେଇ ମୁଣ୍ଡା ଜଣେ ଗରିବ ବାସହୀନ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ପାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି ।