ଝୋଟି ଚିତାରେ ଝଟକୁଛି ଘର ଅଗଣା
ବାଲିଚନ୍ଦ୍ରପୁର:ଆଜି ମାର୍ଗଶିର ମାସ ଗୁରୁବାର । ସବୁ ଓଡିଆ ଘରେ ପୂଜା ପାଆନ୍ତି ମାଆ ଲକ୍ଷ୍ମୀ । ଏହି ପୂଜାକୁ ପ୍ରତ୍ୟେକ ଓଡିଆଣି ନିଷ୍ଠାର ସହ ପାଳନ କରିଥାନ୍ତି । ବଡି ଭୋରରୁ ଉଠି ଘର ଅଗଣା, ଧାନ ଖଳାକୁ ସଫା ସୁତୁରା କରି ଲିପାପୋଛା କରିଥାନ୍ତି । ପରେବଟା ଅରୁଆ ଚାଉଳର ଆଣ ପ୍ରସ୍ତୁତ କରି ମାଆ ଲକ୍ଷ୍ମୀଙ୍କୁ ଆବାହନ ପୂର୍ବକ ଝୋଟି ଚିତା ଲକ୍ଷ୍ମୀ ପାଦର ଚିତ୍ର କାନ୍ଥ, ଘର, ଅଗଣା ଓ ଧାନ ଖଳାରେ ପକାଇଥାନ୍ତି । ଆଶା ଓ ଭରଷା ମାଆ ଲକ୍ଷ୍ମୀଙ୍କ କୃପା ରହିଲେ ଘରେ ହସ ଖୁସି ଲାଗିରହିବା ସହ ଧନ ଧନ୍ୟ ଭରା ହେବ । ପୁରାଣ ଅନୁସାରେ ଶ୍ରୀୟା ଚଣ୍ଡାଳୁଣୀ ନିଷ୍ଠାର ସହ ମାଆ ଲକ୍ଷ୍ମୀଙ୍କ ପୂଜା କରି ବହୁ ବିଭବ ଲାଭ କରିପାରିଥିଲା । ସେହି କଥାକୁ ଆଧାର କରି ପ୍ରତ୍ୟେକ ଓଡିଆଣୀ ମାର୍ଗଶିର ମାସ ଗୁରୁବାରରେ ମାଆଙ୍କ ଆବହନ ପୂର୍ବକ ପୂଜା କରିଥାଏ । ମାଆଙ୍କ କୃପା ଲାଭ କରିବା ପାଇଁ ଝୋଟି ଚିତା ସହ ପୂଜାର ଆବଶ୍ୟକ ସାମଗ୍ରୀ ଯଥା ଧଳା ଧାନରେ ପ୍ରସ୍ତୁତ କରାଯାଇ ଥାଏ ଧାନପେଣ୍ଡି ଓ କାଠର ଖଟୁଲି । ମାଆଙ୍କୁ ଆବାହନ ପରେ ଖଟୁଲି ଉପରେ ଉପବେଶନ କରାଯାଇ ଚିତଉ, କାକରା, ମଣ୍ଡା, ଖିରି ଖେଚୁଡି ଆଦି ଭୋଗ ପ୍ରସ୍ତୁତ କରି ଓଡିଆଣି ଭୋଗ ଲଗାଇଥାଏ । ଦିନତମାମ ମାଆଙ୍କ ଆଗମନରେ ଘରେ ଲାଗିରହିଥାଏ ହସଖୁସି । ପୂଜାବିଧି ଅନୁଯାୟୀ ଭକ୍ତ କବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ପାଠ କରାଯାଇଥାଏ । କଥିତ ଅଛି ଏହି ପୂରାଣ ପଠନ ଓ ଶ୍ରବଣରେ ବହୁ ପୂଣ୍ୟ ଲାଭ ହୋଇଥାଏ । ସଂଧ୍ୟାରେ ମାଆଙ୍କୁ ପୂଜା ଆରାଧନା ପୂର୍ବକ ଧୂପଲାଗି କରାଯାଇଥାଏ । ଏସମ୍ପର୍କରେ ସୁଗୃହିଣୀ ଲେଖିକା ଚାରୁବାଳା ନନ୍ଦ କହନ୍ତି ଯେ ଏହା ଏକ କୃଷି ଭିତ୍ତିକ ପର୍ବ । ପ୍ରତ୍ୟେକ ଓଡିଆଣୀ ମାଆଙ୍କ ପୂଜାର୍ଚ୍ଚନା କରି ଘରର ସୁଖ ସମୃଦ୍ଧି ପାଇଁ ମାଆଙ୍କ ଆବାହନ କରି ପୂଜାର୍ଚ୍ଚନା କରିଥାଏ ।